
- ପୋଲିସର ତନାଘନା ଜାରି, ୫ ଅଟକ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଥାନା ସାଗରପାଲି ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଖମ୍ବେଶ୍ୱରୀପାଲି-ବିଶିମୁଣ୍ଡା ରାସ୍ତାର ଡୁଙ୍ଗୁରିପାଲି ପାଖରେ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର କରାଯାଇଛି । ସୋମବାର ପ୍ରମୋଦ ମେହେର(୨୯) ନାମକ ଯୁବକଙ୍କୁ ହତ୍ୟା କରି ରାସ୍ତାପାର୍ଶ୍ଵରେ ପିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ପ୍ରମୋଦଙ୍କ ମୂଳ ଘର ନିକଟସ୍ଥ ମେଣ୍ଡା ଗ୍ରାମରେ ହୋଇଥିବା ବେଳେ ତାଙ୍କ ନାନୀ ଭିଣୋଇ ଘର ସାଗରପାଲି । ସେ ବର୍ଷେ ହେବ ସାଗରପାଲିରେ ରହି ୱେଲ୍ଡିଙ୍ଗ ଦୋକାନ କରିଥିଲେ । ଖମ୍ବେଶ୍ୱରୀପାଲି-ବିଶିମୁଣ୍ଡା ରାସ୍ତାର ଡୁଙ୍ଗୁରିପାଲି ନିକଟରେ ଏକ ଅର୍ଦ୍ଧନିର୍ମିତ ପରିତ୍ୟକ୍ତ ଘରେ ତାଙ୍କ ମୃତଦେହ ପଡ଼ିଥିଲା । ଖବରପାଇ ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ ଓ ସୋନପୁର ଆଇଆଇସି ଯାଦବ ବାଗ ସୋମବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଧାନୀ କୁକୁର ଓ ବୌଦ୍ଧରୁ ସାଇଣ୍ଟିଫିକ୍ ଟିମ ସହାୟତାରେ ପୋଲିସ ତଦନ୍ତ କରୁଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏସ୍ଆଇ ରାଜ କିଶୋର ବାରିକ୍ ତଦନ୍ତ ଅଧିକାରୀ ଥିବା ବେଳେ ପ୍ରମୋଦଙ୍କ ବଡ଼ଭାଇ ଅଶୋକ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସୋନପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତ୍ୱରିତ ପଦକ୍ଷେପ ନେବା ସହ ସନ୍ଦେହରେ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ମିଳିଥିବା ସୂଚନା ଅନୁଯାୟୀ, ବାହୁଡ଼ାଯାତ୍ରା ରଥଟଣା ବେଳେ ପ୍ରମୋଦ ତାଙ୍କ ଭାଣିଜୀଙ୍କୁ ବାଇକ୍ରେ ଧରି ବୁଲିବାକୁ ଯାଇଥିଲେ । ରଥଟଣା ବେଳେ ବାଇକ ଭିତରକୁ ନେବାକୁ କେନ୍ଦ୍ର କରି ଶନିବାର ସାଗରପାଲି ଗ୍ରାମର କେତେଜଣ ବ୍ୟକ୍ତିଙ୍କ ସହ ତାଙ୍କ ଝଗଡ଼ା ଓ ମାଡପିଟ୍ ହୋଇଥଲା । ଏନେଇ ରବିବାର ଗ୍ରାମରେ ଏକ ବୈଠକ ମଧ୍ୟ ବସିଥିଲା । ରାତିରେ ପ୍ରମୋଦ ଦୋକାନକୁ ଶୋଇବାକୁ ଯାଇଥିବା ବେଳେ ସୋମବାର ସକାଳେ ତାଙ୍କ ମୃତଦେହ ତାଙ୍କ ଦୋକାନରୁ ୧ କିଲୋମିଟର ଦୂରରେ ପଡ଼ିଥିଲା ।