
ରାଉରକେଲା, (ସସ୍ମିତା ପ୍ରଧାନ) : କଠିନ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି, ଅନୁଶାସନ ଓ ନୃତ୍ୟ ପ୍ରତି ଅପାର ଭଲପାଇବା ଯେତେବେଳେ ଏକତ୍ରିତ ହୁଏ, ସେତେବେଳେ ସୃଷ୍ଟି ହୁଏ ସଫଳତାର ଏକ ସ୍ୱର୍ଣ୍ଣିମୟ ଇତିହାସ । ସେହି ଇତିହାସର ଜୀବନ୍ତ ଉଦାହରଣ ହେଉଛି ଟିମ୍ ୱ।ନ କ୍ରିଉ, ରାଉରକେଲା । ୨୦୧୬ ମସିହାରେ ଦିଲେଶ୍ୱର ହେସାଙ୍କ ପ୍ରତିଷ୍ଠା ଓ ନେତୃତ୍ୱରେ ଗଢ଼ିଉଠିଥିବା ଏହି ଦଳ ଆଜି ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ଜାତୀୟ ଏବଂ ଆନ୍ତର୍ଜାତୀୟ ମଞ୍ଚରେ ଭାରତର ଗୌରବକୁ ଉଚ୍ଚରେ ପହଞ୍ଚାଇଛି । ଜିଏଲଏକ୍ସ ୱ।ଲ୍ଡ ଚମ୍ପିଆନସିପ ୨୦୨୬ରେ ଥାଇଲ୍ୟାଣ୍ଡର ବ୍ୟାଙ୍କଙ୍କରେ ଭାରତକୁ ପ୍ରତିନିଧିତ୍ୱ କରି ଦଳଟି ପ୍ରଥମ ରନର୍ସ ଅପ୍ ସମ୍ମାନ ଅର୍ଜନ କରିଛି । ଏହି ଐତିହାସିକ ସଫଳତା ସହିତ ବର୍ତ୍ତମାନ ଚୀନରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ନୃତ୍ୟ ଚମ୍ପିଆନସିପରେ ଭାରତକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଅର୍ଜନ କରିଛି । ସଫଳତା କେବଳ ଟ୍ରଫି କିମ୍ବା ପଦକର ନାମ ନୁହେଁ, ଏହା ହେଉଛି ଅନବରତ ଅଭ୍ୟାସ, ଅସଂଖ୍ୟ ତ୍ୟାଗ, ଦୃଢ଼ ସଙ୍କଳ୍ପ ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ ଅବିରତ ସଂଘର୍ଷର ଫଳ । ଟିମ୍ ଓନ୍ କ୍ରୁର ପ୍ରତ୍ୟେକ ସଦସ୍ୟ ପ୍ରମାଣ କରିଛନ୍ତି ଯେ, ଲକ୍ଷ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ଥିଲେ କୌଣସି ସ୍ୱପ୍ନ ଅସମ୍ଭବ ନୁହେଁ । ଏହି ଦଳ ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ ସିଜନ–୯ ଏବଂ ଡ୍ୟାନ୍ସ ପ୍ଲସ୍ ସିଜନ–୬ର ଷ୍ଟୁଡିଓ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚି ନିଜର ଦକ୍ଷତାର ପରିଚୟ ଦେଇଛି । ସେହିପରି ଧୀ ୧୫ରେ ସେମାନେ ସେମିଫାଇନାଲିଷ୍ଟ ଭାବେ ସଫଳତା ହାସଲ କରିଥିଲେ । ଅନେକ ଥର ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗିତାର ବିଜେତା ହେବା ସହିତ ବିଶ୍ୱସ୍ତରୀୟ ବିଚାରକମାନଙ୍କ ସମ୍ମୁଖରେ ନିଜର କଳା ପ୍ରଦର୍ଶନ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ଦଳରେ ଆୟୁଷ୍ମାନ ଇନୋବଏ, ରାଜୁ ମାଝୀ, ଲଲାଟେନ୍ଦୁ ସୁନା, ପ୍ରିୟଙ୍କା ମିଞ୍ଜ, ସୁମିତ ବାଗ, ଚନ୍ଦନ କାନ୍ହାର, ବିଶ୍ୱରଞ୍ଜନ ନାୟକ, ସାୱନ କୁମାର ପରିଡା, ଆଦିତ୍ୟ କୁମାର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀରେ ଏହା ସମ୍ପର୍କରେ ସୂଚନା ଦେଇଥିଲେ ।