jayashree

ଓମ୍ ଭ୍ୟାଲି ବିଦ୍ୟାଳୟର ପୂର୍ବତନ ଛାତ୍ରୀଙ୍କ ସଫଳତା : ବିକ୍ରମ୍-୧ ମିଶନରେ ପ୍ରିତିଶାଙ୍କ ଗୌରବମୟ ଅବଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ପ୍ରତିଷ୍ଠିତ ସିବିଏସ୍‌ଇ ଅନୁବନ୍ଧିତ ଓମ୍ ଭ୍ୟାଲି ବିଦ୍ୟାଳୟ ପୁଣିଥରେ ନିଜର ଶୈକ୍ଷିକ ଉତ୍କର୍ଷତାର ପରିଚୟ ଦେଇଛି । ବିଦ୍ୟାଳୟର ପୂର୍ବତନ ଛାତ୍ରୀ ପ୍ରିତିଶା ବାନାର୍ଜୀ ଭାରତର ପ୍ରଥମ ବେସରକାରୀ କକ୍ଷୀୟ ପ୍ରକ୍ଷେପଣ ଯାନ ‘ବିକ୍ରମ୍-୧’ ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସମଗ୍ର ଅଞ୍ଚଳ ଓ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । ବୀରକିଶୋର ବାନାର୍ଜୀ ଓ ପୁଷ୍ପିତା ଖଟୁଆଙ୍କ କନ୍ୟା ପ୍ରିତିଶା ୨୦୧୬ ମସିହାରେ ଓମ୍ ଭ୍ୟାଲି ବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିଲେ । ପରେ ସେ କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜରୁ ସ୍ନାତକ ଏବଂ ଭୁବନେଶ୍ୱରସ୍ଥିତ ସିଟିଟିସିରୁ ପ୍ରୋସେସ୍ ଓ ଅଟୋମେସନ୍ କଣ୍ଟ୍ରୋଲ୍ ବିଷୟରେ ମାଷ୍ଟର୍ସ ଉପାଧି ହାସଲ କରିଥିଲେ । ଗତ ୧୮ ଜୁଲାଇରେ ସ୍କାଏରୁଟ୍ ଏରୋସ୍ପେସ୍ ପକ୍ଷରୁ ପ୍ରକ୍ଷେପିତ ବିକ୍ରମ୍-୧ ମିଶନରେ ପ୍ରିତିଶା ଏଭିଓନିକ୍ସ ସଫ୍ଟୱେର୍ ରିଲାଏବିଲିଟି ଇଞ୍ଜିନିୟର ଭାବେ କାର୍ଯ୍ୟ କରି ଏହି ଐତିହାସିକ ସଫଳତାର ଅଂଶୀଦାର ହୋଇଛନ୍ତି । ନିଜ ସଫଳତା ପରେ ପ୍ରିତିଶା କହିଛନ୍ତି, ଓମ୍ ଭ୍ୟାଲି ବିଦ୍ୟାଳୟରେ ପାଇଥିବା ଶୃଙ୍ଖଳା, ସଂସ୍କାର ଓ ଶିକ୍ଷକମାନଙ୍କ ପ୍ରେରଣା ତାଙ୍କୁ ବିଜ୍ଞାନ ଓ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସାହସ ଓ ଆତ୍ମବିଶ୍ୱାସ ଦେଇଥିଲା । ସେ ବିଦ୍ୟାଳୟ ପ୍ରତି କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏଠାରେ ପାଇଥିବା ମୂଲ୍ୟବୋଧ ତାଙ୍କ ଜୀବନର ମୂଳଦୁଆ ହୋଇ ରହିବ । ଏହି ଉଲ୍ଲେଖନୀୟ ସଫଳତାରେ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଲାୟନ୍ ଦୀପକ କୁମାର ସାହୁ ପ୍ରିତିଶାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏହା କେବଳ ଜଣେ ଛାତ୍ରୀଙ୍କ ସଫଳତା ନୁହେଁ, ବରଂ ଓମ୍ ଭ୍ୟାଲିର ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା ଓ ସମର୍ପିତ ଶିକ୍ଷାଦାନ ପ୍ରଣାଳୀର ଉଜ୍ଜ୍ୱଳ ପ୍ରତିଫଳନ । ସେ କହିଛନ୍ତି, ପ୍ରିତିଶାଙ୍କ ଏହି ସଫଳତା ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କୁ ବଡ଼ ସ୍ୱପ୍ନ ଦେଖିବା ଓ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରେରଣା ଦେବ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏମ୍. ନାଗା ମାଲେଶ୍ୱର ରାଓ, ମୁଖ୍ୟ ପରାମର୍ଶଦାତା ଡ଼. ରବିନ୍ ଚନ୍ଦ୍ର ପରମାଣିକ, ନେତୃତ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ପ୍ରିତିଶାଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave A Reply

Your email address will not be published.