
- ଗୋରସ ରୁକା ପର୍ବ ଶେଷ, ସେରନିବଟା ଆଜି
- କୃଷି ଭିତ୍ତିକ ପର୍ବ ବୁଢ଼ୀଆଈ ଯାତ୍ରା ବୁଧବାର
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବହୁ ପ୍ରସିଦ୍ଧ ବୁଢ଼ିଆଈ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଗୋରସ ରୁକା ପର୍ବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁସାରେ ଜରାସିଂହା ଗାଁର ସମସ୍ତ ଶ୍ରଦ୍ଧାଳୁଙ୍କ ଘରୁ ଗୋରସ ବୁଢ଼ୀଆଈ ମନ୍ଦିରକୁ ଆଣିବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ । ମଙ୍ଗଳବାର ଦିନ ସେରନିବଟା ପର୍ବ ପାଳିତ ହେବାକୁ ଥିବା ବେଳେ ବୁଧବାର ଦିନ ବୁଢ଼ୀଆଇ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ବୁଢ଼ିଆଈ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥୀରେ ସେରନିବଟା ପୂଜା ହେବା ସହ ସମସ୍ତ ଦେହେଲିଆଙ୍କୁ ଲାଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ତାପର ଦିନ ଅର୍ଥାତ୍ ପୂର୍ଣ୍ଣମା ତିଥୀରେ ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ୀଆଈ ଯାତ୍ରା ବା କାଦୋଯାତ୍ରା ଅନୁଷ୍ଠିତ ହୋଇଥାଏ । କାହିଁ କେଉଁ କାଳରୁ ବଲାଙ୍ଗିର ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ଶ୍ରଦ୍ଦାଳୁମାନଙ୍କ ଧାର ଲମ୍ବିଥାଏ । ଯେହେତୁ ଏହା କୃଷି ଭିତ୍ତିକ ପର୍ବ ଓ ଏହି ପର୍ବରେ ବର୍ଷା ଏବଂ ଚାଷକୁ ନେଇ ଆକଳନ କରାଯିବାର ପରଂପରା ରହିଛି । ତେଣୁ ଏହି ଯାତ୍ରାରେ ବହୁ ଜନ ସମାଗମ ହୋଇଥାଏ ।