jayashree

ବ୍ରାହ୍ମଣ ଏକତା ମଞ୍ଚର ସାମ୍ବାଦିକ ସମ୍ମିଳନୀ

  • ଆଗାମୀ ଦିନରେ ଜିଲ୍ଲାରେ ବ୍ରାହ୍ମଣ ଏକତା ମଞ୍ଚର ବିରାଟ ସମାବେଶ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମଝିପଡ଼ା ସ୍ଥିତ ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଓ ସଭାର ଆୟୋଜନ କରାଯାଇଛି । ଏହି ସଭାରେ ବ୍ରାହ୍ମଣ ସମାଜର ଉପଦେଷ୍ଟା ଚମରାରାମ ତ୍ରିପାଠୀ, ପଣ୍ଡିତ ଶିବ ନାରାୟଣ ପୂଝାରୀ, ରାଧେଶ୍ୟାମ ପୂଝାରୀ ଓ କୈଳାଶ ଚନ୍ଦ୍ର ରଥ ଅତିଥି ଭାବରେ ଯୋଗଦେଇ ବ୍ରାହ୍ମଣ ସମାଜର ଏକତାର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଦେଶର ସୁରକ୍ଷା ସନାତନ ଧର୍ମ ଓ ବ୍ରାହ୍ମଣ ସଂସ୍କୃତିର ସୁରକ୍ଷା ପାଇଁ ଆମ ଭିତରେ ଏକତା ପ୍ରତିଷ୍ଠା ଜରୁରୀ ବୋଲି ମତ ରଖିଥିଲେ । ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ପ୍ରଦୀପ ପୁରୋହିତ ଏହି ସଭାକୁ ସଂଯୋଜନା କରି ପ୍ରତି ବ୍ଲକ୍‌ରେ ଏହି ସଂଗଠନ ଗଠନ ହୋଇଥିବା ବେଳେ ଆଗାମୀ ୨ ତାରିଖରେ ବ୍ରାହ୍ମଣ ସମାବେଶରେ ନଗର ବ୍ରାହ୍ମଣ ସମାଜର କମିଟି ଚୟନ କରାଯିବ ବୋଲି କହିଥିଲେ ଏବଂ ଆଗାମୀ ଦିନରେ ଜିଲ୍ଲାରେ ବ୍ରାହ୍ମଣ ଏକତା ମଞ୍ଚର ଏକ ବିରାଟ ସମାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଥିଲା । ଯେଉଁ ସମାବେଶରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତି ଓ ମାର୍ଗଦର୍ଶନ ରହିବ ବୋଲି ଶ୍ରୀ ପୁରୋହିତ କହିଥିଲେ । ବରିଷ୍ଠ ସଦସ୍ୟ ଡ. ଆର୍ତ୍ତତ୍ରାଣ ବାବୁ, ଡ. ସନ୍ତୋଷ ପାଢୀ, ସୀତାଂଶୁ ଶେଖର ମିଶ୍ର, ଦୁଃଖୁରାମ ମିଶ୍ର ସଙ୍ଗଠନ ଉପରେ ମତ ରଖିଥିଲେ । ଏହି ସାମ୍ୱାଦିକ ସମ୍ମିଳନୀରେ ବୈକୁଣ୍ଠ ଶତପଥୀ, ପୀୟୂଷ ପଣ୍ଡା, ନାରାୟଣ ରଥ ପ୍ରମୁଖ ସହଯୋଗ କରିଥିବା ବେଳେ ଶତାଧିକ ବ୍ରାହ୍ମଣ ଯୋଗ ଦେଇଥିଲେ । ବରିଷ୍ଠ ସଦସ୍ୟ ଅଟଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.