- ଅଧା ଓଡ଼ିଶାରେ ବିଦ୍ୟୁତ୍ ସେବା ପ୍ରଭାବିତ ଆଶଙ୍କା
ମାଲକାନଗିରି, (କେପିଏନ୍ଏସ୍) : ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାରରୁ ବିଦ୍ୟୁତ୍ ଉତ୍ପାଦନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ର ପୂର୍ବରୁ ବନ୍ଦ ଥିବାବେଳେ ଏବେ ବାଲିମେଳାର ଉତ୍ପାଦନ ଠପ୍ ହେବାରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ପ୍ରମୁଖ ଜଳବିଦ୍ୟୁତ୍ ପ୍ରକଳ୍ପ ଅଚଳ ହୋଇପଡ଼ିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ, ଉପର ମୁଣ୍ଡରେ କମ୍ ବର୍ଷା ଏବଂ ଜଲାପୁଟ ଡ୍ୟାମ୍ରୁ ପର୍ଯ୍ୟାପ୍ତ ପାଣି ନ ଆସିବାରୁ ବାଲିମେଳା ଜଳଭଣ୍ଡାରର ଜଳସ୍ତର ଆଶାତୀତ ଭାବେ ହ୍ରାସ ପାଇଛି । ବର୍ତ୍ତମାନ ଜଳଭଣ୍ଡାରରେ ମାତ୍ର ୧୩ ପ୍ରତିଶତ ଜଳ ଗଚ୍ଛିତ ରହିଛି । ଖରିଫ ଚାଷ ପାଇଁ ଜଳ ସଂରକ୍ଷଣକୁ ପ୍ରାଥମିକତା ଦେଇ ବିଦ୍ୟୁତ୍ ଉତ୍ପାଦନ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପୋଟେରୁ ସେଚ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କହିବା ଅନୁସାରେ, ବାଲିମେଳା ଜଳଭଣ୍ଡାରର ସର୍ବାଧିକ ଜଳସ୍ତର ୧୫୧୬ ଫୁଟ୍ ଥିବାବେଳେ ବର୍ତ୍ତମାନ ଏହା ୧୪୫୫.୬୦ ଫୁଟ୍କୁ ଖସି ଆସିଛି । ଗତବର୍ଷ ଏହି ସମୟରେ ଜଳଭଣ୍ଡାରରେ ପ୍ରାୟ ୨୦ ପ୍ରତିଶତ ଜଳ ଗଚ୍ଛିତ ଥିଲା । ତେବେ ଚଳିତ ବର୍ଷ କ୍ୟାଚ୍ମେଣ୍ଟ ଅଞ୍ଚଳରେ ବର୍ଷାର ପରିମାଣ ଗତବର୍ଷ ତୁଳନାରେ ୨୫୯ ମିଲିମିଟର କମ୍ ରେକର୍ଡ ହୋଇଛି, ଯାହା ଜଳସ୍ତର ହ୍ରାସର ପ୍ରମୁଖ କାରଣ ବୋଲି କୁହାଯାଇଛି । ଅନ୍ୟପଟେ ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଥିବାରୁ ଜଲାପୁଟ ଡ୍ୟାମ୍ରୁ ବାଲିମେଳାକୁ ଆବଶ୍ୟକ ପରିମାଣର ପାଣି ପହଞ୍ଚିପାରୁନାହିଁ । ଫଳରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଅଧୀନରେ ଥିବା ୬ଟି କାର୍ଯ୍ୟକ୍ଷମ ୟୁନିଟ୍କୁ ଜଳ ଯୋଗାଣ ବନ୍ଦ କରାଯାଇଛି । ଓଏଚ୍ପିସିର ଅଧୀକ୍ଷଣ ଯନ୍ତ୍ରୀ ଦୁର୍ଗାପ୍ରସାଦ ପଟ୍ଟନାୟକ କହିଛନ୍ତି ଯେ, ଜଳଭଣ୍ଡାରର ସ୍ଥିତି ସୁଧାର ନ ହେବା ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିବା ବର୍ତ୍ତମାନ ୬୦୦ କ୍ୟୁସେକ୍ ଜଳ ଛଡ଼ାଯାଉଥିବାବେଳେ ଆବଶ୍ୟକତା ଅନୁସାରେ ଏହାକୁ ୨୦୦୦ କ୍ୟୁସେକ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ସେହିପରି ଜଲାପୁଟ ଡ୍ୟାମ୍ରୁ ଅଧିକ ପାଣି ଛାଡ଼ିବା ପାଇଁ ଆନ୍ଧ୍ର ପାୱାର ଜେନେରେସନ୍ କର୍ପୋରେସନ୍କୁ ଅନୁରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ, ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପର ୮ଟି ୟୁନିଟ୍ ମାଧ୍ୟମରେ ଘଣ୍ଟାକୁ ୫୧୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରାଯାଉଥିଲା । ସେଥିମଧ୍ୟରୁ ୨ଟି ୟୁନିଟ୍ର ମରାମତି କାମ ଚାଲିଥିବାବେଳେ ଅବଶିଷ୍ଟ ୬ଟି ୟୁନିଟ୍ ମଧ୍ୟ ବର୍ତ୍ତମାନ ବନ୍ଦ ରହିଛି । ଜଳସ୍ତର ସ୍ୱାଭାବିକ ସ୍ଥିତିକୁ ଫେରିଲେ ପୁନର୍ବାର ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହେବ ବୋଲି ବିଭାଗ ସୂଚନା ଦେଇଛି ।
