ଇସ୍ପାତ ଜେନେରାଲ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ସର୍ଭାଇକାଲ କ୍ୟାନ୍ସର ଟୀକାକରଣ ଶିବିର

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ ସରକାରଙ୍କ ପକ୍ଷରୁ ଜୁଲାଇ ୧୮ ତାରିଖ (ଶନିବାର) ଠାରୁ ପ୍ରତ୍ୟେକ ଶନିବାର ନିଃଶୁଳ୍କ ସର୍ଭାଇକାଲ କ୍ୟାନ୍ସର ଟୀକାକରଣ ଶିବିର ଆୟୋଜନ କରାଯିବ । ଜୁଲାଇ ୨୦୧୧ରୁ ଜୁଲାଇ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ବାଳିକାମାନେ ଏହି ଟୀକା ପାଇବା ପାଇଁ ଯୋଗ୍ୟ । ଟୀକାକରଣ ଆଇଜିଏଚ୍‌ର ନୂତନ ଓ ପିଡି ବ୍ଲକ୍‌ରେ ପ୍ରତ୍ୟେକ ଶନିବାର ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ସର୍ଭାଇକାଲ କ୍ୟାନ୍ସର ବିଶ୍ୱସ୍ତରରେ ମହିଳାମାନଙ୍କ ମଧ୍ୟରେ ହେଉଥିବା ଚତୁର୍ଥ ସର୍ବାଧିକ ସାଧାରଣ କ୍ୟାନ୍ସର । ଏହା ଏପରି ଏକ କ୍ୟାନ୍ସର ଯାହାକୁ ବହୁ ପରିମାଣରେ ପ୍ରତିରୋଧ ଏବଂ ସଫଳତାର ସ‌ହ ଚିକିତ୍ସା କରାଯାଇପାରେ । ତଥାପି, ଏହା ମହିଳାମାନଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ଭାବେ ରହିଆସିଛି । ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଫଳରେ, ଏହା ଚିହ୍ନଟ ହେବା ବେଳକୁ ରୋଗ ଅନେକ କ୍ଷେତ୍ରରେ ଏପରି ଏକ ପର୍ଯ୍ୟାୟକୁ ପହଞ୍ଚିଯାଇଥାଏ, ଯେଉଁଠାରେ ଚିକିତ୍ସା ଅଧିକ ଜଟିଳ ଓ କଷ୍ଟସାଧ୍ୟ ହୋଇପଡ଼େ । ସମୟୋପଯୁକ୍ତ ଭାବେ ସର୍ଭାଇକାଲ କ୍ୟାନ୍ସର ଟୀକା ଗ୍ରହଣ କଲେ ଏହି ରୋଗ ହେବାର ଆଶଙ୍କାକୁ ବହୁ ପରିମାଣରେ କମାଇ ଦିଆଯାଇପାରେ । ତେଣୁ ଯୋଗ୍ୟ ବୟସର ବାଳିକାମାନଙ୍କ ଅଭିଭାବକମାନଙ୍କୁ ଏହି ନିଃଶୁଳ୍କ ଟୀକାକରଣ ସୁବିଧାର ଲାଭ ଉଠାଇବା ପାଇଁ ଆହ୍ୱାନ କରାଯାଉଛି ।

Leave A Reply

Your email address will not be published.