
ନିଶାନ୍ତ ବାର୍ ବିରୋଧରେ ତେଜିଲା ଆନ୍ଦୋଳନ : ଅବକାରୀ ବିଭାଗ ମୁଖ୍ୟ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ କେସିଙ୍ଗା ଟିମ୍

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ନିଶାନ୍ତ ବାର୍ ସ୍ଥାନାନ୍ତରକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆର୍ଏମ୍ସି ଅଞ୍ଚଳରୁ ଟିଟିଲାଗଡ଼ ରୋଡ୍ ସ୍ଥିତ ଓମ୍ ନଗରକୁ ବାର୍ ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ କରି ଏବେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସହରବାସୀ । ବାର୍ ସ୍ଥାନାନ୍ତର ବନ୍ଦ ଦାବିରେ ଅବକାରୀ ବିଭାଗ ମୁଖ୍ୟ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛି କେସିଙ୍ଗା ଟିମ୍ । ସୂଚନା ଅନୁଯାୟୀ, କେସିଙ୍ଗା ଆର୍ଏମ୍ସି ଶେଷ ମୁଣ୍ଡରେ ଥିବା ନିଶାନ୍ତ ବାର୍କୁ ଟିଟିଲାଗଡ଼ ରାସ୍ତାର ଓମ୍ ନଗର ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ କେସିଙ୍ଗା ଏନ୍ଏସି ପକ୍ଷରୁ ଏନ୍ଓସି ପ୍ରଦାନ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ରଦ୍ଦ କରାଯାଇଥିଲା । ତେବେ ଏନ୍ଓସି ରଦ୍ଦ ହେବା ପରେ ମଧ୍ୟ ନିର୍ମାଣ କାମ ଚାଲୁ ରହିଥିବା ଅଭିଯୋଗକୁ ନେଇ ସହରରେ ଅସନ୍ତୋଷ ବଢ଼ିଛି । ବିଷୟଟି ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରଚାର ପାଇବା ପରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, ସାମ୍ବାଦିକ ମହାସଂଘ ଏବଂ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଖୋଲାଖୋଲି ଭାବେ ଏହାକୁ ବିରୋଧ କରିଛନ୍ତି । ଏହା ସହ କିଛି ସଚେତନ ନାଗରିକ ନିର୍ମାଣସ୍ଥଳରେ ପହଞ୍ଚି କାମ ବନ୍ଦ କରିବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ । ସହରର ଜନସାଧାରଣଙ୍କ ମତ ଅନୁସାରେ, ପ୍ରସ୍ତାବିତ ସ୍ଥାନଟି ଘନ ଜନବସତି ଅଞ୍ଚଳ ହୋଇଥିବାରୁ ସେଠାରେ ବାର୍ ଖୋଲିଲେ ସାମାଜିକ ପରିବେଶ ଉପରେ କୁପ୍ରଭାବ ପଡ଼ିପାରେ । ବାର୍ ସ୍ଥାନାନ୍ତର ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ଦାବିରେ କେସିଙ୍ଗାର ଏକ ପ୍ରତିନିଧି ଦଳ ଅବକାରୀ ବିଭାଗର ମୁଖ୍ୟ ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ବୃହତ୍ତର ଜନଆନ୍ଦୋଳନ ଗଢ଼ି ଉଠିବ ବୋଲି କେସିଙ୍ଗା ଟିମ୍ ଚେତାବନୀ ଦେଇଛି । ଏବେ ଏହି ଘଟଣାରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
