
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ ପ୍ରତିଷ୍ଠା ଦାବି ଜୋର ଧରିଛି । କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ସରକାରଙ୍କ ନିକଟରେ ଦାବି ଉଠାଯାଇଛି । ଜିଲ୍ଲାର ସୁରକ୍ଷା, ଆଇନଶୃଙ୍ଖଳା ଏବଂ ଦ୍ରୁତ ପୋଲିସ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ବାଟାଲିୟନ ଅତ୍ୟାବଶ୍ୟକ ବୋଲି କମିଟି କହିଛି । ଭୌଗୋଳିକ ଦୃଷ୍ଟିରୁ ବଲାଙ୍ଗିର ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ହୋଇଥିବା ବେଳେ ଆର୍ଥିକ କ୍ଷେତ୍ରରେ ଏହା ଏପର୍ଯ୍ୟନ୍ତ ପଛୁଆ ରହିଛି । ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ବର୍ତ୍ତମାନ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏଠାରେ ସ୍ଥାପିତ ହୋଇଛି । ଏଭଳି ପରିସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ବଲାଙ୍ଗିରରେ ଏକ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ ସ୍ଥାପନ ନିହାତି ଆବଶ୍ୟକ ବୋଲି କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛି । କମିଟିର କହିବା ଅନୁସାରେ, ବାଟାଲିୟନ ସ୍ଥାପନ ହେଲେ କେବଳ ବଲାଙ୍ଗିର ନୁହେଁ, ନୂଆପଡ଼ା, ବରଗଡ଼, ସମ୍ବଲପୁର ଓ ସୁବର୍ଣ୍ଣପୁର ଭଳି ପଡ଼ୋଶୀ ଜିଲ୍ଲାମାନେ ମଧ୍ୟ ଏହାର ସୁବିଧା ପାଇପାରିବେ । ବର୍ତ୍ତମାନ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ବାହାର ଜିଲ୍ଲାରୁ ପୋଲିସ ଫୋର୍ସ ଆଣିବାକୁ ପଡ଼ୁଥିବାରୁ ସମୟ ଲାଗୁଛି । ତେଣୁ ବଲାଙ୍ଗିରରେ ତୁରନ୍ତ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ ପ୍ରତିଷ୍ଠା ପାଇଁ କମିଟି ସରକାରଙ୍କୁ ଦୃଢ଼ ଦାବି ଜଣାଇଛି ।

