
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ସରକାର ପୁରସ୍କାର ପ୍ରାପ୍ତ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସଭାପତି ତଥା ଜାତୀୟ କରାଟେ ପ୍ରଶିକ୍ଷକ ଅସୀମ କୁମାର୍ ଭୋଇଙ୍କ ମହତ କାର୍ଯ୍ୟକୁ ଦେଖି ରକ୍ତଦାନ ପାଇଁ ଆଗେଇ ଆସିଛନ୍ତି ଜଣେ ଯୁବକ । କଳାହାଣ୍ଡି ଜିଲ୍ଲା ବୁର୍ଡା ଅଞ୍ଚଳର ଯୁବକ ସମିର ଗହିର ଅସୀମ ଭୋଇଙ୍କ ରକ୍ତଦାନ କାର୍ଯ୍ୟକ୍ରମ ଦ୍ୱାରା ଗଭୀର ଭାବେ ଅନୁପ୍ରାଣିତ ହୋଇ ସ୍ୱେଚ୍ଛାକୃତ ଭାବେ ନିଜର ରକ୍ତଦାନ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିରର ଜଣାଶୁଣା ସମାଜସେବୀ ଅସୀମ କୁମାର ଭୋଇଙ୍କ ମାନବିକତା ଓ ନିରନ୍ତର ସେବା କାର୍ଯ୍ୟରେ ପ୍ରଭାବିତ ହୋଇ ସମିର ଗହିର ସ୍ୱତଃପ୍ରବୃତ୍ତ ଭାବେ ବଲାଙ୍ଗିରକୁ ଆସି ଅସୀମ ଭୋଇ ସଙ୍ଗେ ଯୋଗାଯୋଗ କରିଥିଲେ । ଏହାପରେ ସେ ଭୀମଭୋଇ ମେଡିକାଲ ହସ୍ପିଟାଲର ରକ୍ତଭଣ୍ଡାରରେ ରକ୍ତଦାନ କରିଥିଲେ । ସମିର ଗହୀରଙ୍କର ଏହି ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ପ୍ରକୃତି ବନ୍ଧୁ ଅସୀମ ଭୋଇ, ଦୟାନନ୍ଦ ବାରିକ ଓ ବ୍ଲଡ଼ ବ୍ୟାଂକ ସଦସ୍ୟ ଜ୍ୟୋତି ନାୟକଙ୍କ ତରଫରୁ ତାଙ୍କୁ ଏକ ଚାରା ଗଛ ଏବଂ ସମ୍ମାନସୂଚକ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । “ସମାଜସେବୀ ଅସୀମ ବାବୁଙ୍କ କାର୍ଯ୍ୟ ମୋତେ ଏହି ମହତ କାମ ପାଇଁ ସଚେତନ ଓ ପ୍ରେରିତ କରିଥିଲା,” ବୋଲି ରକ୍ତଦାନ ପରେ ଯୁବକ ସମିର ଗହିର ପ୍ରକାଶ କରିଛନ୍ତି ।
ଯୁବକଙ୍କର ଏଭଳି ସ୍ୱେଚ୍ଛାକୃତ ରକ୍ତଦାନ ଓ ପରିବେଶ ସୁରକ୍ଷାର ବାର୍ତ୍ତା ସ୍ୱରୂପ ଚାରା ଗଛ ପ୍ରଦାନ ଅନ୍ୟମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି ।
