ମଶାରୀ ବଣ୍ଟନ ବେଳେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ କାଣ୍ଡ : ଆମେ ଯଦି ମଦ ପିଇଛୁ ପାଇପ‌ ଲଗାଅ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମଶାରୀ ବଣ୍ଟନ ବେଳେ ଜଣେ ମଦ୍ୟପ ଶିକ୍ଷକଙ୍କ ଉନ୍ମତକାଣ୍ଡ । କାର୍ୟ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ସମ୍ପୃକ୍ତ ମଦ୍ୟପ ଶିକ୍ଷକ ଗାଳିଗୁଲଜ କରିବା ସହ ଆକ୍ରମଣ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରୁ । ଏ ନେଇ ଆକ୍ରମଣର ଶିକାର ହୋଇଥିବା ସୋନପୁର ଅଞ୍ଚଳର ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ୯ ତାରିଖରେ ସୋନପୁର ପଞ୍ଚାୟତ ସତୁଙ୍ଗିଆ ଅଙ୍ଗନବାଡି କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ବୁଲିଦେଇ ସାହୁ ସ୍ଥାନୀୟ ଆଶାକର୍ମୀଙ୍କ ଉପସ୍ଥିତିରେ ଅଞ୍ଚଳବାସିଙ୍କୁ ମଶାରୀ ବଣ୍ଟନ କରୁଥିଲେ । ଏହି ସମୟରେ ସୋନପୁର ଅଞ୍ଚଳର ଶିକ୍ଷକ ସରୋଜ କୁମାର ସିଂ ଗୋଟିଏ ମଶାରୀ ନେବା ପରେ ବି ଆଉ ଗୋଟିଏ ମଶାରୀ ମାଗିଥିଲେ । କିନ୍ତୁ ସ୍ୱାସ୍ଥ୍ୟକର୍ମୀ ମଶାରୀ ନ ଦେବା ପରେ ମଦ୍ୟପ ଶିକ୍ଷକ ସରୋଜ କୁମାର ସିଂ ସେମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ବୁଲିଦେଇ ଓ ଅନ୍ୟ ଆଶାକର୍ମୀ ଅଭିଯୋଗ କରିଛନ୍ତି । ତେବେ ଏହି ସମୟରେ ଉଭୟ ଶିକ୍ଷକ ଓ ସ୍ୱାସ୍ଥ୍ୟ କର୍ମୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ୱାସ୍ଥ୍ୟ କର୍ମୀ ଜଣକ ମଦ୍ୟପାନ ଅଭିଯୋଗ ଆଣିବାରୁ ଶିକ୍ଷକ ଜଣକ କହିଥିଲେ ଆମେ ଯଦି ମଦ ପିଇଛୁ ତେବେ ପାଇପ ଲାଗାଇ ପରୀକ୍ଷା କର । ଅନ୍ୟପଟେ ସମ୍ପୃକ୍ତ ଶିକ୍ଷକ ଜଣକ ଏହା ତାଙ୍କ ବିରୋଧରେ ମିଛ ଅଭିଯୋଗ ବୋଲି କହିଛନ୍ତି । ଅନ୍ୟପଟେ ଦାରିଙ୍ଗବାଡି ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.