csstore

ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ ଘଟଣା : ୪ ଗିରଫ, କାର ଓ ମାରଣାସ୍ତ୍ର ଜବତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ ଘଟଣାର ବିନିକା ଥାନା ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଦାଫାସ କରିଛନ୍ତି, ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ । ଏସ୍‌ପି ଶ୍ରୀ ନାୟକ ଦେଇଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ଘଟଣାରେ ପୁଲିସ ୪ ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ବର୍ତ୍ତମାନ ଫେରାର ଅଛନ୍ତି । ଏହି ଘଟଣାରେ ୨ ଗୋଟି ପିସ୍ତଲ, ୨୦ ରାଉଣ୍ଡ ଗୁଳି, ୨ ଗୋଟି ଖଣ୍ଡା, ୨ ଗୋଟି ମୋବାଇଲ, ଗୋଟିଏ ଚାକୁ ଓ ବ୍ୟବହୃତ କାରକୁ ଜବତ କରିଛନ୍ତି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଗାନ୍ଧୀନଗର ପଡ଼ାର ମୁନା ବାରିକ (୩୦), ସୁବର୍ଣ୍ଣପୁର ଜିଲ୍ଲା ରାମପୁର ସହରାପଡ଼ାର ଦୁର୍ବାସା ବେହେରା (୪୫), ଡୁଙ୍ଗୁରିପାଲି ଥାନା ଲୁଡ଼କିବେଡା ଗାଁର ଲୋକନାଥ ନାଏକ (୨୩)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯୋଗ୍ୟ ଯେ, ଗତ ତା ୧୯ ତାରିଖ ରାତି ପ୍ରାୟ ୧୧.୩୦ ସମୟରେ କିଛି ଦୁର୍ବୃତ୍ତ ସିଙ୍ଘିଯୁବା ସ୍ଥିତ ବ୍ଲକ ଅଧ୍ୟକ୍ଷା ଡିପ୍ତିରେଖା ନନ୍ଦ ତଥା ତାଙ୍କ ସ୍ୱାମୀ ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦଙ୍କ ଘରକୁ ଗୁଳି ଚାଳନା କରିଥିଲେ । ପାଖରେ ଥିବା ଦୁଇଟି ଗାଡି ଉପରେ ମଧ୍ୟ ଗୁଳି ଚାଳନା କରିଥିଲେ । ଏହି ଘଟଣା ବାବଦରେ ଅଶୋକ ନନ୍ଦ ଓ ସୁବାଶ ଚନ୍ଦ୍ର ପାତ୍ରଙ୍କ ଅଭିଯୋଗ କ୍ରମେ ବିନକା ଥାନାରେ ୧୭୪/୨୦୨୬ ଓ ୧୭୫/୨୦୨୬ କେସ ରୁଜୁ କରଯାଇଥିଲା । ଘଟଣାକୁ ଗୁରୁତର ସହ ବିଚାର କରି ଜିଲ୍ଲା ପୁଲିସ ଦ୍ୱାରା ବିନିକା, ରାମପୁର ଓ ସୋନପୁର ଥାନା ଅଧିକାରୀଙ୍କୁ ନେଇ ୩ ଗୋଟି ପୃଥକ ପୃଥକ ଟିମ୍ ଗଠନ କରଯାଇଥିଲା । ଏହି ଟିମ୍ ନିକଟସ୍ଥ ସମସ୍ତ ତଥ୍ୟ ଓ ପ୍ରତ୍ୟକ୍ଷ୍ୟଦର୍ଶୀକୁ ପଚରାଉଚରା କରିଥିଲା । ୨୦ ତାରିଖରେ ରାମପୁର ପୁଲିସ ରାମପୁର ଥାନା କେସ ନମ୍ବର ୪୪/୨୦୨୬ର ଆସାମୀ ଟାଇଗର ଓରଫ୍ ତନ୍ମୟ ବାଗକୁ ଗିରଫ କରିଥିଲା ଓ ତଦନ୍ତ ସମୟରେ ସେ ଏହି ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ପ୍ରମାଣ ମିଳିଥିଲା । ତେଣୁ ତନ୍ମୟ ବାଗକୁ ଗତକାଲି ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିଥିଲା । ଅଶୋକ ନନ୍ଦଙ୍କ ସହ ତାର ପୂର୍ବ ଶତ୍ରୁତା ଥିବା କହିଥିଲା ଓ ଘଟଣା ଦିନ ଦୁର୍ବାସା ବେହେରାର ପ୍ରରୋଚନାରେ ସେ ଓ ତାର ସାଙ୍ଗରେ ଆସିଥିବା ଅନ୍ୟ ସହଯୋଗୀମାନେ ଅଶୋକ ନନ୍ଦଙ୍କୁ ଗୁଳି କରିବା ପାଇଁ ସ୍ଥିର କରିଥିଲେ । ୧୯ ତାରିଖ ରାତି ଯୋଜନା ମୁତାବକ ତନ୍ମୟ ବାଗର ହୃଣ୍ଡାଇ ଭରନା ଗାଡିରେ ଓ ଅନ୍ୟ ଏକ ୪ ଚକିଆ ଗାଡିରେ ତନ୍ମୟ ବାଗ, ଦୁର୍ବାସା ବେହେରା, ଲୋକନାଥ ନାୟକ, ମୁନା ବାରିକ, ଆଦି ଅଶୋକ ନନ୍ଦଙ୍କୁ ଡାକି ଘରର ଗେଟ୍‌କୁ ବାଡ଼େଇ ଥିଲେ । ତା ପରେ ତାଙ୍କ ଘରକୁ ଗୁଳିମାଡ କରିଥିଲେ । ତାଙ୍କ ଘର ଭିତରେ ଥିବା ତାଙ୍କ ଗାଡି ଓ ଅନ୍ୟାନ୍ୟ ସ୍ଥାନରେ ଗୁଳି ବାଜିଥିଲା । ରାସ୍ତାର ଅପର ପାର୍ଶ୍ୱରେ ଥିବା ଜଣେ ବ୍ୟକ୍ତି ଓ ତାଙ୍କ ଗାଡି ଉପରକୁ ମଧ୍ୟ ଗୁଳି ଚାଳନା କରି ଭଙ୍ଗାରୁଜା କରିଥିଲେ । ସେଠାରେ ପ୍ରାୟ ୧୦ ମିନିଟ ରହିବାପରେ ସେମାନେ ସେଠାରୁ ରାମପୁର ଆଡକୁ ପଳାଇଥିଲେ । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି କୌଣସି ଏକ ବ୍ୟକ୍ତିଗତ ଆକ୍ରୋଶ ଯୋଗୁଁ ମୁଦାଲା ଦୁର୍ବାସା ବେହେରା, ଅନ୍ୟ ମୁଖ୍ୟ ମୁଦାଲା ଟାଇଗର ଓରଫ ତନ୍ମୟ ବାଗ ଦ୍ୱାରା ସୁଚିନ୍ତିତ ଭାବରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି । ଏହି ଘଟଣାରେ ଘଟଣା ସ୍ଥଳରୁ ମୋଟ ୨୧ ଟି ଫୁଟାଗୁଳିର ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଥିଲା ।

jayashree
Leave A Reply

Your email address will not be published.