
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଯୁବପିଢ଼ିଙ୍କ ଦ୍ୱାରା ବେପରୁଆ ଗାଡି ଚାଳନା ସମସ୍ୟା ବୃଦ୍ଧି ପାଉଥିବା ସମ୍ପର୍କରେ ବରଗଡ଼ ମହିଳା ସମିତି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସମିତିର ଏକ ପ୍ରତିନିଧି ଦଳ ଏସ୍ପି ରବୀନ୍ଦ୍ର ଶତପଥୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ ସହ ଏହି ସମସ୍ୟାର ଗମ୍ଭୀରତା ଉପରେ ଆଲୋଚନା କରିଥିଲେ । ଅନେକ ଯୁବ ଚାଳକ ବିଶେଷ କରି ସନ୍ଧ୍ୟା ସମୟରେ ରାସ୍ତାରେ ଅଧିକ ଗତିରେ, ଟ୍ରାଫିକ୍ ସିଗନାଲକୁ ଅଣଦେଖା କରି ଯେଭଳି ବିପଦପୂର୍ଣ୍ଣ କାର୍ଯ୍ୟକଳାପ କରନ୍ତି ତାହା କେବଳ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରେ ନାହିଁ ବରଂ ଦୁର୍ଘଟଣାର ଆଶଙ୍କା ମଧ୍ୟ ବୃଦ୍ଧି କରୁଛି । ଅନେକେ ନିଶାଶକ୍ତ ହୋଇ ଦ୍ରୁତ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଉଛନ୍ତି । ପ୍ରତ୍ୟହ ଏଭଳି ଘଟଣା ଘଟୁଛି ବୋଲି ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ । ଏହାକୁ ତୁରନ୍ତ ରୋକିବା ବ୍ୟବସ୍ଥା ସ୍ୱରୂପ ସହରରେ ପେଟ୍ରୋଲିଂ ବୃଦ୍ଧି କରିବାକୁ ଏବଂ ବେପରୁଆ ଭାବରେ ଗାଡି ଚାଳନା କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି । ଏହା ସହିତ, ଯୁବ ଚାଳକମାନଙ୍କ ପାଇଁ ସଡ଼କ ସୁରକ୍ଷା ବିଷୟରେ ସଚେତନତା ଅଭିଯାନ ଆୟୋଜନ ଦ୍ୱାରା ଏପରି ଘଟଣାକୁ ହ୍ରାସ କରାଯିବାକୁ ନିବେଦନ କରାଯାଇ ବରଗଡ଼ ସହରର ସମସ୍ତ ବାସିନ୍ଦାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ସମିତି ନିବେଦନ ଜଣାଇଛି । ସମିତିର ସମ୍ପାଦିକା ରିନୁ ପତି ଓ ଉପସଭାପତି ସସ୍ମିତା ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିନିଧି ଦଳରେ ମମତା ମିଶ୍ର, ଅଞ୍ଜନା ଦାସ, କନକ ପ୍ରଧାନ, ସ୍ୱାଧିନୀ ଦାଶ, ଜୟନ୍ତୀ ପ୍ରଧାନ, ଡ. ସୁଜାତା ପଣ୍ଡା, ସଙ୍ଗୀତା ଗୁପ୍ତା, ଭାରତୀ ମିଶ୍ର, ବାସନ୍ତୀ ଗଡତିଆ, ସଂଘମିତ୍ରା ପଟେଲ ପ୍ରମୁଖ ସାମିଲ ହୋଇଥିଲେ ।
