jayashree

ଖପ୍ରାଖୋଲରେ ବିଜେଡିର ୮ ଦଫା ଦାବିପତ୍ର ପ୍ରଦାନ : ବିଭିନ୍ନ ଜନକଲ୍ୟାଣମୂଳକ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ବିଡିଓଙ୍କ ଜରିଆରେ ଏକ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଭତ୍ତା ପ୍ରଦାନ, ମୌଳିକ ସୁବିଧା, ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ରାଜ୍ୟ ସରକାରଙ୍କ କିଛି ନିଷ୍ପତ୍ତିକୁ ନେଇ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବିପତ୍ରରେ ପ୍ରତ୍ୟେକ ମାସର ୧୫ ତାରିଖ ସୁଦ୍ଧା ସମସ୍ତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିବା, ମୃତ୍ୟୁ ପରେ ସେହି ଦିନ ହିଁ ହରିଶ୍ଚନ୍ଦ୍ର ସହାୟତା ଯୋଜନାର ସୁବିଧା ଉପଲବ୍ଧ କରାଇବା ଏବଂ ପୂର୍ବ ସରକାର ସମୟରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଚପଲ, ଛତା ଓ କମ୍ବଳ ବଣ୍ଟନ ବ୍ୟବସ୍ଥାକୁ ପୁନଃ ଚାଲୁ କରିବା ଭଳି ଦାବି ସ୍ଥାନ ପାଇଛି । ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଠାରୁ ୧୨୦୦ ଟଙ୍କା ଶୁଳ୍କ ଆଦାୟ କରିବା ସମ୍ବନ୍ଧୀୟ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ ଅନ୍ୟାନ୍ୟ ଜନସ୍ୱାର୍ଥ ସମ୍ପର୍କିତ ଦାବି ମଧ୍ୟ ଉପସ୍ଥାପିତ ହୋଇଛି । ପୂର୍ବତନ ବିଜେଡି ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ଶତାଧିକ ବୃଦ୍ଧବୃଦ୍ଧା ଓ ଦଳୀୟ କର୍ମୀ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତ୍ତି ବିରୋଧରେ ନାରାବାଜି କରିଥିଲେ । ପରେ ସେମାନେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରି ଜନସାଧାରଣଙ୍କ ସମସ୍ୟା ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ଜଣାଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ମେହେର କହିଥିଲେ ଯେ, ଜନସ୍ୱାର୍ଥ ସହ ଜଡିତ ଏହି ଦାବିଗୁଡ଼ିକୁ ସରକାର ଶୀଘ୍ର ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ତୀବ୍ର ଓ ବ୍ୟାପକ କରାଯିବ ।

Leave A Reply

Your email address will not be published.