csstore

ପଦ୍ମପୁରରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ରାଜାଜୀ ଟାଉନ ହଲଠାରେ ‘ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ସହରାଞ୍ଚଳର ପ୍ରଗତି ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା । ଏହି ଅବସରରେ ପଦ୍ମପୁରର ଜନସାଧାରଣ ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇଥିଲେ । ଏହି ସାଧାରଣ ସଭାରେ ସାଂସଦଙ୍କ ପ୍ରତିନିଧି ସୁନୀଲ ଅଗ୍ରୱାଲ, କାଉନସିଲର କୁନାଲ୍ ପାଣିଗ୍ରାହୀ ଏବଂ ଭାରତୀୟ ଜନତା ପାର୍ଟିର ମହିଳା ନେତ୍ରୀ ଜ୍ୟୋସ୍ନାମୟୀ କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ପ୍ରଶାସନିକ ସ୍ତରରୁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମାଝୀ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଭୋଇ ଉପସ୍ଥିତ ରହି ପୌରସଂସ୍ଥା ମାଧ୍ୟମରେ ସାଧାରଣ ନାଗରିକମାନଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ସୁବିଧା, ସେବା ଓ ଏହାର ସଠିକ୍ ଉପଯୋଗିତା ସମ୍ପର୍କରେ ସଚେତନ କରାଇଥିଲେ । ଏହି ଅବସରରେ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନମୂଳକ ଯୋଜନାର ସଫଳ ରୂପାୟନ ସ୍ୱରୂପ ହିତାଧିକାରୀ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ଶିକ୍ଷା ନୀତି-୨୦୨୦ ଅନ୍ତର୍ଗତ ସଫଳତାର ସହ ଇଣ୍ଟର୍ନସିପ୍ ସମ୍ପୂର୍ଣ୍ଣ କରିଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ଅର୍ଥରାଶି ସହାୟତାରେ ଅତି ସୁନ୍ଦର ଭାବେ ନିଜର ଗୃହ ନିର୍ମାଣ କରିଥିବା ଦୁଇଜଣ ସଫଳ ହିତାଧିକାରୀଙ୍କୁ ମଞ୍ଚରେ ସମ୍ୱର୍ଦ୍ଧିତ କରାଗଲା । ‘ପିଏମ୍ ସ୍ଵନିଧି’ ଯୋଜନାରେ ସହରାଞ୍ଚଳର ତିନିଜଣ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଦିଆ ଗଲା ପରେ ସମ୍ୱର୍ଦ୍ଧିତ କରାଗଲା । ଏହାସହିତ ସମାଜର ବିଭିନ୍ନ ଜନକଲ୍ୟାଣମୂଳକ ଖବରକୁ ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଉଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଜନସମ୍ପର୍କ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ସଚେତନ ନାଗରିକ, ମହିଳା ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.