csstore

ଶିକ୍ଷକ କିର୍ତ୍ତନ ଭୋଇଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଚେରେଙ୍ଗାଝାଞ୍ଜର ଗାଁର ବିଶିଷ୍ଟ ଶିକ୍ଷକ ତଥା ନୂଆଡିହି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କିର୍ତ୍ତନ ଭୋଇ (୫୫)ଙ୍କର ସୋମବାର ଅପରାହ୍ନରେ ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, କିଛିଦିନ ଧରି ସେ ଅସୁସ୍ଥ ଥିବାବେଳେ ରାୟପୁର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ସୋମବାର ଅପରାହ୍ନରେ ତାଙ୍କର ଦେହାନ୍ତ ଘଟିଥିଲା । ତାଙ୍କ ମୃତ୍ୟୁରେ ପରିବାର, ସହକର୍ମୀ, ଛାତ୍ରଛାତ୍ରୀ ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ପରିବେଶ ସୃଷ୍ଟି ହୋଇଛି । ମୃତଦେହ ଗାଁକୁ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ବହୁ ଲୋକଙ୍କ ଭିଡ଼ ଜମିଥିଲା । ଗ୍ରାମବାସୀ, ସହକର୍ମୀ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବର୍ଗର ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ଗାଁରେ ତାଙ୍କର ଅନ୍ତିମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଭୋଇ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ । ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଓ ସମାଜ ପ୍ରତି ସେବାଭାବ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି । ତାଙ୍କ ଅନ୍ତିମ ସଂସ୍କାରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ, ସାମାଜିକ କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ରହି ଶେଷ ବିଦାୟ ଜଣାଇଥିଲେ । ତାଙ୍କ ବଡ଼ ପୁଅ ତାରାଚାନ୍ଦ ଭୋଇ ମୁଖାଗ୍ନୀ ଦେଇଥିଲେ ।

jayashree
Leave A Reply

Your email address will not be published.