
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ବରପାଲି ଥାନା ଅଞ୍ଚଳରେ ଚର୍ଚ୍ଚିତ ମହିଳା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ମୁଖ୍ୟ କେନାଲ ବ୍ରିଜ ନିକଟରୁ ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍ପି । ପୋଲିସ ତଦନ୍ତ ଅନୁସାରେ, ମୃତ ମହିଳା ଜଣକ ବଲାଙ୍ଗିର ଜିଲ୍ଲା ସାହାଜବାହାଲ ଗ୍ରାମର ମମତା ହୋତା (୫୭) । ସାଇବର ସେଲ ଓ ବରପାଲି ପୋଲିସର ମିଳିତ ତଦନ୍ତ ପରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳର ୫୬ ବର୍ଷୀୟ ରମାକାନ୍ତ ପୂଜାରୀଙ୍କୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଟଙ୍କା କାରବାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତ ମମତା ଅଭିଯୁକ୍ତଙ୍କୁ କିଛି ଟଙ୍କା ଦେଇଥିବା ବେଳେ ପରେ ପ୍ରାୟ ଏକ ଲକ୍ଷ ଟଙ୍କା ଫେରସ୍ତ ମାଗିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ପୋଲିସ କହିଛି । ଶୀତଳ ଷଷ୍ଠୀ ଅବସରରେ ମମତା ହୋତା ଅଭିଯୁକ୍ତଙ୍କ ସହ ବୁଲିବାକୁ ଯାଇଥିଲେ । ପରେ ରାତି ସମୟରେ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ଘଟଣାରେ ବ୍ୟବହୃତ ଏକ ଟାଙ୍ଗିଆ, ଟିଭିଏସ୍ ଏକ୍ସଏଲ୍ ସୁପର ଗାଡ଼ି, ମମତାଙ୍କ ମୋବାଇଲ ଫୋନ, ପୋଷାକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
