
- ସିଏଚ୍ସି ଓ ହାଇସ୍କୁଲ ପରିଦର୍ଶନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଉପସ୍ଥିତ ରହି ୧୪ ସାମୁହିକ ଓ ୮୬ ବ୍ୟକ୍ତିଗତ ମିଶାଇ ମୋଟ ୧୦୦ଟି ଅଭିଯୋଗର ଶୁଣାଣୀ କରିଥିଲେ । ବିଟାବନ୍ଧ ପଞ୍ଚାୟତରେ ୧୦ ଲକ୍ଷ ଅଟକଳର ଏକ ଫେସିଲିଟି ସେଣ୍ଟର ଓ ୧୦ ଲକ୍ଷ ଅଟକଳର କୃଷି କାର୍ଯ୍ୟାଳୟ କାମ ଅଧା ପନ୍ତରିଆ ଥାଇ ସମ୍ପୂର୍ଣ୍ଣ ବିଲ ଉଠି ସାରିଥିବା ବିଟାବନ୍ଧର ପୂର୍ବତନ ସରପଞ୍ଚ ଅଗସ୍ତି ବାଗ ଗୁରୁତର ଅଭିଯୋଗ କରିଥିଲେ । ଏହାପରେ ଜିଲ୍ଲାପାଳ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ସେଠାରେ ମିଳୁଥିବା ସ୍ୱାସ୍ଥ୍ୟସେବା ସୁବିଧାଗୁଡ଼ିକ ସମ୍ପର୍କରେ ବିଶେଷ ରୂପେ ଅନୁଧ୍ୟାନ କରିଥିଲେ । ଏହା ସହିତ ମୁରିବାହାଲ ସଦର ମହକୁମା ସ୍ଥିତ ପଂଚାୟତି ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ । ସେଠାରେ ପାଠପଢ଼ା ଛାଡିଥିବା ପିଲା, କର୍ମଜୀବୀ, ବୟସ୍କ, ଗ୍ରାମୀଣ ଯୁବକ ଏବଂ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ନିମନ୍ତେ ସୁଗମ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ମୁକ୍ତ ବିଦ୍ୟାଳୟର ଏକ କେନ୍ଦ୍ର ବିଷୟରେ ପଚାରି ବୁଝିଥିଲେ । ଏହି ଶିବିରରେ ବଲାଙ୍ଗିରର ସିଇଓ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀସେନ ସୁନା, ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, କଣ୍ଟାବାଞ୍ଜି ଏସ୍ଡ଼ିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ଜିପିଡିଓ ପ୍ରସନ୍ନ କୁମାର ନାଗ, ଏଇଇ ଅବିନାଶ ମୁଦି, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଏଡିଇଓ, ଯୋଗାଣ ସହାୟକ, ଜିଓଟେଗ ଓ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଜିଲ୍ଲାପାଳଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ବେଳେ ମେଡିକାଲ୍ ଅଧ୍ୟକ୍ଷ ଡ. ଥବୀର ମେହେରଙ୍କ ସହ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ହାଇସ୍କୁଲ ପରିଦର୍ଶନ ବେଳେ ପ୍ରଧାନଶିକ୍ଷକଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।