
ରାଜବୋଡ଼ାସମ୍ବର ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ : ସୁଶାସନ ଓ ଗ୍ରାମୀଣ ପରିବର୍ତ୍ତନ ଉପରେ ଗୁରୁତ୍ୱ
ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜବୋଡ଼ାସମ୍ବର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପଞ୍ଚାୟତ ସମିତି ସ୍ତରୀୟ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆଜି ଆନୁଷ୍ଠାନିକ ଭାବେ ଉଦ୍ଯାପିତ ହୋଇଯାଇଛି । “ପଞ୍ଚାୟତରେ ସୁଶାସନ, ଗ୍ରାମାଞ୍ଚଳରେ ପରିବର୍ତ୍ତନ” ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମାବେଶରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଜନସାଧାରଣ ଓ ହିତାଧିକାରୀ ଯୋଗ ଦେଇଥିଲେ । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଓ ଜନାଭିମୁଖୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ସେ କହିଲେ ଯେ, ସରକାରଙ୍କ ପ୍ରତ୍ୟେକଟି ଯୋଜନା ଗ୍ରାମାଞ୍ଚଳର ଉନ୍ନତି ଏବଂ ସାଧାରଣ ମଣିଷର ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ଦିଷ୍ଟ । କାର୍ଯ୍ୟକ୍ରମରେ ବିଶେଷ ଭାବେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ଅଦ୍ୱିକା ଯୋଜନା, ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପୋଷାକ ଯୋଜନା ଏବଂ ମିଶନ ବାତ୍ସଲ୍ୟ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଏହି ଯୋଜନା ଗୁଡ଼ିକରୁ କିପରି ସର୍ବସାଧାରଣ ସିଧାସଳଖ ଉପକୃତ ହୋଇପାରିବେ ଏବଂ ଏହା ହିତାଧିକାରୀଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ସଚେତନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଜନହିତକର ଯୋଜନାର ହିତାଧିକାରୀଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ମଧୁବାବୁ ପେନ୍ସନ୍ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା ଆଦିର ହିତାଧିକାରୀଙ୍କୁ ଚେକ୍ ଏବଂ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । କିଛି ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ମଧ୍ୟ ବଣ୍ଟନ କରାଯାଇଥିଲା, ଯାହା ସରକାରୀ ସେବା ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚୁଥିବାର ଏକ ସଫଳ ନିଦର୍ଶନ ପାଲଟିଥିଲା । ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ନିରାକାର ବରିହା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୋଲି ରାଉତ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତିନିଧି ଶେଖ୍ ୱାସିମ୍ ରାଜା, ଯୋଗାଣ ନିରୀକ୍ଷକ ଶୁଭେନ୍ଦୁ ପାଣିଗ୍ରାହୀ, ଦହିତା ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ ମିଶ୍ର, ରାଜବୋଡ଼ାସମ୍ବର ସରପଞ୍ଚ ସଂଘର ସଭାପତି ଆନନ୍ଦ କୁମାର ବେହେରା ଏବଂ ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ୱଜ ବଗାର୍ ଓ ସରସ୍ୱତୀ ସାହୁ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ ଏବଂ ବହୁ ସଂଖ୍ୟାରେ ମାଆ ଓ ଭଉଣୀମାନେ ଅଂଶଗ୍ରହଣ କରି ସରକାରୀ ଯୋଜନା ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ ।