jayashree

ଅବୈଜ୍ଞାନିକ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଭଳି ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ଉତ୍ତମ ସରକାରୀ ଶିକ୍ଷା ଅତ୍ୟନ୍ତ ଜରୁରୀ ଥିବା ସତ୍ତ୍ୱେ ଗତ ସରକାର ପ୍ରାୟ ସାତ ହଜାରରୁ ଉର୍ଦ୍ଧ୍ଵ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିଥିଲେ ଏବଂ ବର୍ତ୍ତମାନ ରାଜ୍ୟ ଡବଲ ଇଂଜିନ ସରକାର ଅମଳରେ ମଧ୍ୟ ତାହା ଖୋଲିବା ତ ଦୂରର କଥା ବରଂ ବନ୍ଦ ହେବା ପ୍ରକ୍ରିୟା ଚାଲିଛି । ଅନ୍ୟପଟରେ ରାଜ୍ୟରେ ହଜାର ହଜାର ଶିକ୍ଷକ, ଶିକ୍ଷା କର୍ମଚାରୀ ପଦବୀ ଖାଲି ପଡ଼ିଛି । ରାଜ୍ୟର ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ଭୁଷୁଡି ପଡିବା ଅବସ୍ଥାରେ । ତେଣୁ ଆଜି ରାଜ୍ୟର ଜନଗଣ ସରକାରୀ ଅନୁଷ୍ଠାନ ପ୍ରତି ଆସ୍ଥା ହରେଇବାରେ ଲାଗିଛନ୍ତି । ସରକାରୀ ଶିକ୍ଷାର ଏହିପରି ପରିସ୍ଥିତିରେ ଜାତୀୟ ଶିକ୍ଷାନୀତି – ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ପରିବର୍ତ୍ତନ କରି ନୂତନ ପୁସ୍ତକ ପ୍ରସ୍ତୁତ କରିବା ଏବଂ ସେହିସବୁ ପାଠ୍ୟପୁସ୍ତକରେ ମୋଟ ୨୧୨୫ଟି ଭୁଲ ପରିଲକ୍ଷିତ ହେବା ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟିକେ ନିରିଖେଇ ଦେଖିଲେ ଆହୁରି ଅଧିକ ସଂଖ୍ୟକ ଭୁଲ ମଧ୍ୟ ବାହାରିବ । ମୂଳତଃ ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢ଼ା କାହାଣୀକୁ ଭର୍ତ୍ତି କରାଯାଇ ପାଠ୍ୟକ୍ରମର ଏକ ମୌଳିକ ଭିତ୍ତିଗତ ପରିବର୍ତ୍ତନ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ କେବଳ ତଥ୍ୟଗତ ଭାବେ ଭୁଲ ଶିକ୍ଷା ପାଇବେ ନାହିଁ ଆହୁରି ମଧ୍ୟ ବିକୃତ ଶିକ୍ଷା ପାଇବେ, ଯଦ୍ୱାରାକି ସେମାନଙ୍କର ଚିନ୍ତା କରିବାର କ୍ଷମତା ମଧ୍ୟ ଭୟଙ୍କର ଭାବେ ବାଧାପ୍ରାପ୍ତ ହେବ । ଫଳରେ ଏହିପରି ଅବୈଜ୍ଞାନିକ ତଥା ଭୁଲ ଶିକ୍ଷା ଗ୍ରହଣ କରି ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେ ଅନ୍ଧକାରମୟ ହେବ କେବଳ ସେତିକି ନୁହେଁ ଆହୁରି ମଧ୍ୟ ସେମାନେ ଅନ୍ଧତା, କୂପମଣ୍ଡୁକତାର ଶିକାର ହେବେ ଏବଂ ଏହା ସରକାରୀ ଶିକ୍ଷାକୁ ଧ୍ଵଂସ କରି ଶିକ୍ଷାର ଘରୋଇକରଣ, ବେପାରୀକରଣର ରାସ୍ତା ସୁଗମ କରିବାରେ ସହାୟକ ହେବ । ଫଳସ୍ଵରୂପ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ସୁଯୋଗ ଆକାଶ କଇଁଆ ଭଳି ହେବ । ଏଣୁ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରସ୍ତୁତ ଅବୈଜ୍ଞାନିକ ପାଠ୍ୟକ୍ରମ ଓ ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନୂତନ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀମାନଙ୍କୁ ବିତରଣ କରିବା, ଗଣଶିକ୍ଷା ମନ୍ତ୍ରୀ ସମେତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା, ଶିକ୍ଷା ଧ୍ୱଂସକାରୀ ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା ଦାବିରେ ଏଆଇଡିଏସଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଜିଲ୍ଲାପାଳଙ୍କ ଜରିୟାରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ସଭାରେ ଏଆଇଡିଏସଓ ର ରାଜ୍ୟ ଉପ-ସଭାପତି ସୁନିଲ କୁମାର ଭୋଇ, ଜିଲ୍ଲା ସମ୍ପାଦିକା ଗୌରି ରାଉତ, ଜିଲ୍ଲା ସଭାପତି ମଧୁସୂଦନ ବାଗ, ଜିଲ୍ଲା ଉପ-ସଭାନେତ୍ରୀ ଅହଲ୍ୟା ସାହୁ, ସଂଗଠନ ସଭ୍ୟ ବିଶ୍ୱଜିତ ସୁନା, ଗୌରି ଛତ୍ରିଆ, ଶ୍ରଦ୍ଧାଞ୍ଜଳି ସୁନା, ଅନିଲ ସୁନା, ରାହୁଲ ସୁନା, ଅଭିଭାବକ ସୁନିତା ନନ୍ଦ, ସୁପ୍ରଭା ସୁନାଙ୍କ ସହିତ ବହୁ ସ୍କୁଲ ଛାତ୍ରଛାତ୍ରୀ ସାମିଲଥିଲେ ।

Leave A Reply

Your email address will not be published.