
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଗଁରେଇ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ସର୍ପ ଦଂଶନରେ ଗାଁର ଜନ୍ମେଜୟ ବାଗଙ୍କ ମୃତ୍ୟୁ ଘଟିଥିବା ଖବର ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଜନ୍ମେଜୟ ରାତିରେ ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ ଦଂଶନ କରିଥିଲା । ଦଂଶନ ପରେ ତାଙ୍କ ସ୍ୱାସ୍ଥ୍ୟର ହଠାତ୍ ଅବନତି ଘଟିଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ସାପଟିର ଶରୀର କଳା ରଙ୍ଗର ଥିଲା ଏବଂ ତାହାର ଉପରେ ଧଳା ଚିହ୍ନ ଦେଖିବାକୁ ମିଳିଥିଲା । ଏହାକୁ ଆଧାର କରି ସାପଟି ଚିତ୍ତି ସାପ ବା କମନ କ୍ରେଟ ପ୍ରଜାତିର ହୋଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏହା ସମ୍ପର୍କରେ କୌଣସି ଆନୁଷ୍ଠାନିକ ପୁଷ୍ଟି ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ, କମନ କ୍ରେଟ ଭାରତର ଅତ୍ୟନ୍ତ ବିଷାକ୍ତ ସାପମାନଙ୍କ ମଧ୍ୟରୁ ଗୋଟିଏ । ଏହି ସାପ ସାଧାରଣତଃ ରାତି ସମୟରେ ସକ୍ରିୟ ରହିଥାଏ ଏବଂ ଘର ଭିତରକୁ ପଶି ଶୋଇଥିବା ଲୋକଙ୍କୁ ଦଂଶନ କରିବାର ଘଟଣା ପୂର୍ବରୁ ମଧ୍ୟ ଦେଖାଯାଇଛି । ଏହାର ବିଷ ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରି ଶ୍ୱାସକ୍ରିୟା ବନ୍ଦ କରିଦେବାର କ୍ଷମତା ରଖେ । ଆଜି ଦିନ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଶବ ବ୍ୟବଛେଦ ସମାପ୍ତ ହେବା ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣା ପରେ ଗଁରେଇ ଗାଁ ସହ ସମଗ୍ର ଅଞ୍ଚଳରେ ଭୟ ଓ ଶୋକର ପରିବେଶ ସୃଷ୍ଟି ହୋଇଛି । ବିଶେଷ କରି ବର୍ଷା ଋତୁରେ ସର୍ପଦଂଶନ ଘଟଣା ବଢ଼ୁଥିବାରୁ ସତର୍କ ରହିବାକୁ ସ୍ଥାନୀୟ ଲୋକେ ଆହ୍ୱାନ କରିଛନ୍ତି ।