jayashree

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ : ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର କଟାରି ସାହି ନିକଟସ୍ଥ କନ୍ଧମାଳ ମହିଳା ସମବାୟ ସମିତି ଦ୍ୱାରା ପରିଚାଳିତ ଖଲି ଗୋଦାମରେ ରବିବାର ଭୋରରୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ସୂଚନା ଅନୁଯାୟୀ, ଗୋଦାମରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଗୋଦାମର କର୍ମଚାରୀ ଓ ବାଲିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲିଭିବା ବେଳକୁ ଗୋଦାମରେ ମହଜୁଦ ଥିବା ଶିଆଳି ଖଲି, କଞ୍ଚା ହଳଦୀ ଏବଂ ୟୁରିଆ ସାର ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ପ୍ରାଥମିକ ଆକଳନ ଅନୁସାରେ ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ଘଟିଥିବା ବେଳେ ଏହା ସଟ୍‌ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । କିନ୍ତୁ ପ୍ରକୃତରେ କିପରି ନିଆଁ ଲାଗିଲା, ସେନେଇ ବାଲିଗୁଡ଼ା ଅଗ୍ନିଶମ ବିଭାଗ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.