jayashree

ଟିଟିଲାଗଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜୁନ ୨୧ ତାରିଖକୁ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ସହରରେ ଦୁଇଟି ସ୍ଥାନରେ ପୃଥକ ପୃଥକ ଭାବରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ପୌର ପରିଷଦର ରାଜ କନୱାର ପାର୍କ ଠାରେ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” କାର୍ଯ୍ୟକ୍ରମ ଅନ୍ତର୍ଗତ ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬, ୨୧ ଜୁନ ୨୦୨୬ ତାରିଖ ସକାଳ ୬.୦୦ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ଜିଲ୍ଳା ସାଧାରଣ ସଂପାଦକ ପ୍ରଶାନ୍ତ ଷଡଙ୍ଗୀ, ତହସିଲଦାର ଶଙ୍କର ବାଗ, ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ବିଭିନ୍ନ ୱାର୍ଡର କାଉନସିଲର ସଦସ୍ୟଙ୍କ ସହ ଜନସାଧାରଣ ଯୋଗଦେଇ ଯୋଗ କରିଥିଲେ। ସେଠାରେ ଯୋଗ ଶିଖାଇଥିଲେ ଅଙ୍କିତା ଜାଲ । ସେହିପରି ସ୍ଥାନୀୟ ଡି ଏନ୍ ରିସର୍ଟ ସଭା ସ୍ଥଳରେ ମାରୱାଡ଼ୀ ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ଏବଂ ଲାୟନ୍ସ କ୍ଲବ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ ଲାୟନ୍ସ କ୍ଲବ ସଭାପତି ସଞ୍ଜୟ ସୋନି, କ୍ଲବର ପୂର୍ବତନ ଡିଜି ଯମୁନା ପ୍ରସାଦ ଗୋଏଲ, ଜେଶିଆଇ ସଭାପତି ଶୈଳେଶ ଗୋଏଲ, ମାରୱାଡି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖାର ସଭାପତି ଉମେଶ କନୋଡ଼ିଆ ଓ ବିଭିନ୍ନ ଶାଖାରୁ ଆସିଥିବା ଯୁବକମାନେ ଏବଂ ସହରର ଅନ୍ୟାନ୍ୟ ସଦସ୍ୟମାନେ ଯୋଗାଭ୍ୟାସ କରିଥିଲେ । ଝାରସୁଗୁଡ଼ାରୁ ଯୋଗ ପ୍ରଶିକ୍ଷକ ଆଦିତ୍ୟ ବିକ୍ରମ ସିତାନି ଓ ଟିଟିଲାଗଡର ଯୋଗ ପ୍ରଶିକ୍ଷକ ସୁନୀଲ ପଣ୍ଡା “କର ଯୋଗ ରହ ନିରୋଗ” ର ମନ୍ତ୍ର ଦେଇ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ । ଏହି ଦିବସର ମୂଳ ଲକ୍ଷ୍ୟ ହେଲା ମଣିଷ ସମାଜ କିଭଳି ସୁସ୍ଥ ନିରୋଗ ରହି ଏକ ସୁସ୍ଥ ଜୀବନ ଅତିବାହିତ କରିବେ ସେ ବିଷୟରେ ଆଲୋକପାତ କରିବା ସହ ଯୋଗ ଦ୍ୱାରା ହିଁ ରୋଗମୁକ୍ତ ଜୀବନଯାପନ କରିହେବ ବୋଲି ସମସ୍ତ ଅତିଥି ତଥା ଯୋଗ ପ୍ରଶିକ୍ଷଣ ଶିବିରର ପ୍ରଶିକ୍ଷକମାନେ ମତ ପ୍ରକାଶ କରିଥିଲେ । ଲୋକଙ୍କୁ ସୁସ୍ଥ ରହିବାକୁ ହେଲେ ଯୋଗ କରିବା ନିହାତି ଆବଶ୍ୟକ ଅଟେ ।

Leave A Reply

Your email address will not be published.