
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏକ ଜନସମ୍ପର୍କ ସମ୍ବାଦ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରଫୁଲ୍ଲ କୁମାର ଓଡୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ସେଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ ଗ୍ରାମାଞ୍ଚଳର ଲୋକଙ୍କ ଜୀବନଧାରାରେ କିପରି ପରିବର୍ତ୍ତନ ଆଣୁଛି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସମାଜର ଅବହେଳିତ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନେ ସରକାରୀ ସୁବିଧାରୁ ବଞ୍ଚିତ ନହେବା ପାଇଁ ସଚେତନତା ଏବଂ ସମନ୍ୱୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ତହସିଲଦାର ସିନ୍ଧୁସୂତା ପାତ୍ର, ସାଂସଦ ପ୍ରତିନିଧି ସରୋଜ ସାମଲ, ଗୋବର୍ଦ୍ଧନ ଅଗ୍ରୱାଲ ଓ କୈଳାସ ଦିଶ୍ରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସରକାରୀ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଅଧିକ ପ୍ରଚାର ଓ ସଚେତନତା ସୃଷ୍ଟିର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ସରକାରୀ କର୍ମଚାରୀ, ମହିଳା ତଥା ସ୍ଥାନୀୟ ଲୋକମାନଙ୍କ ସହ ସିଧାସଳଖ ସମ୍ବାଦ ମାଧ୍ୟମରେ ସେମାନଙ୍କ ସମସ୍ୟା, ଅଭିଯୋଗ ଓ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସରକାରୀ ଯୋଜନାଗୁଡ଼ିକର ସଠିକ୍ ରୂପାୟନ ଏବଂ ଲୋକଙ୍କ ଅଧିକ ସହଭାଗିତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଡବ୍ଳୁଇଓ ସୁନୀଲ କୁମାର ଭୂଏ ଅତିଥି ପରିଚୟ ଦେଇଥିବା ବେଳେ ଏବିଏଫ ମଧୁସ୍ମିତା ବେହେରା କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ସମସ୍ତ ଅତିଥି, ଅଧିକାରୀ ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।ନିରୋଜ କୁମାର ପାଣୀ