
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶୀତଳଷଷ୍ଠୀ ପାଳନ କମିଟି ଦ୍ୱାରା ଆୟୋଜିତ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଓ ପବିତ୍ର ଶୀତଳଷଷ୍ଠୀ ସ୍ଥାନୀୟ ମୌଲେଶ୍ୱର୍ ଶିବ ମନ୍ଦିର ପରିସର ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ଆୟୋଜିତ ହୋଇ ଯାଇଛି । ଗତ ୧୭ତାରିଖ ଦିନ ଦେବ ଦମ୍ପତିଙ୍କ ନିର୍ବନ୍ଧ କର୍ମ ସମ୍ପନ୍ନ ହୋଇଥିବା ବେଳେ ଗୁରୁବାର ଏକ ଭବ୍ୟ ବାତାବରଣ ମଧ୍ୟରେ ଉଭୟଙ୍କ ବିବାହ ପାଣି ଗ୍ରହଣ ସମ୍ପନ୍ନ ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଉଭୟ ଦେବଦେବୀଙ୍କୁ ଏକ ସୁସଜ୍ଜିତ ରଥରେ ବସାଇ ଜୟପାଟଣା ନଗର ପରିକ୍ରମା କରଯାଇଥିଲା । ବିଭିନ୍ନ ସାଂସ୍କୃତିକ ଦଳ ଓ ବାଦ୍ୟ ଯନ୍ତ୍ରର ତାଳେ ତାଳେ ଏକ ଲୋଭନୀୟ ପରିବେଶ ସହ ହଜାର ହଜାର ଶ୍ରଦ୍ଧାଳୁ ପରିକ୍ରମାରେ ସାମିଲ ହୋଇଥିଲେ । ବର ପିତା ଭାବରେ ତରୁଣ ରାଉତ ସସ୍ତ୍ରିକ ଦାୟିତ୍ଵ ସମ୍ପନ୍ନ କରିଥିବା ବେଳେ କନ୍ୟା ପିତା ଭାବରେ ନୀଳକଣ୍ଠ ରାଉତ ଦାୟିତ୍ଵ ନିର୍ବାହ କରି ଏହା ଆମପାଇଁ ପୂର୍ବ ଜନ୍ମର ସ୍ଵୀକୃତି ବୋଲି ପ୍ରକାଶ କରିଥିଲେ । ସଞ୍ଜୀବ କୁମାର ଠାକୁର ଯଜ୍ଞ କର୍ମ ସମ୍ପନ୍ନ କରିଥିଲେ । ଅନ୍ତିମ ଦିନରେ ଅନେକ ଅନେକ ଗୀତିନାଟ୍ୟ ପ୍ରଦର୍ଶନ ଅନେକ ସଂସ୍କୃତି ପ୍ରେମୀଙ୍କୁ ଆକର୍ଷିତ କରିଥିଲା । ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରୀ ପାଲି ଠାରେ ମଧ୍ୟ ଶୀତଳଷଷ୍ଠୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି ।