
ସୁନ୍ଦରଗଡ଼ , (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ବନ୍ଧମୁଣ୍ଡା ରେଳବାଇ ୟାର୍ଡରେ ପୁଣିଥରେ ଜଙ୍ଗଲୀ ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ଶୁକ୍ରବାର ବିଳମ୍ବିତ ରାତିରେ ୧୩ଟି ହାତୀଙ୍କ ଏକ ପଲ ବିଶ୍ରା ବ୍ଲକ୍ର ଯୋବାଘାଟ ନିକଟ କୋଏଲ ନଦୀ ପାର ହୋଇ ବାରଟୋଲି ଦେଇ ବନ୍ଧମୁଣ୍ଡା ରେଳ ୟାର୍ଡରେ ପ୍ରବେଶ କରିଥିଲେ । ସୂଚନା ଅନୁସାରେ, ହାତୀପଲ ଡାଉନ୍ ଲାଇନ୍ ପାର ହୋଇ ଆର୍-କେବିନ ନିକଟ ରେଳ ଟ୍ରାକ୍ ଆଡକୁ ଯାଉଥିବା ସମୟରେ ଏକ ହାତୀ ଛୁଆ ହଠାତ୍ ଏକ ଗାତ ଭିତରେ ପଡ଼ି ଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଛୁଆଟି ବାହାରି ନପାରିବାରୁ ହାତୀପଲ ସେଠାରେ ଅଟକି ରହିଥିଲେ । ଘଟଣାର ସୂଚନା ପାଇ ରେଳବାଇ ପ୍ରଶାସନ ତୁରନ୍ତ ସତର୍କ ହୋଇଯାଇଥିଲା । ରେଲ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଧମୁଣ୍ଡା- ବିଶ୍ରା ରେଳ ଖଣ୍ଡରେ ରାତି ପ୍ରାୟ ୨ଟା ୩୦ରୁ ୩ଟା ୧୫ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା । ଯାହା ପରେ ହାତୀପଲରେ ଥିବା ଦୁଇଟି ବଡ଼ ହାତୀ ବହୁ ପରିଶ୍ରମ କରି ହାତୀ ଛୁଆଟିକୁ ଗାତରୁ ବାହାର କରିଥିଲେ । ଛୁଆଟି ସୁରକ୍ଷିତ ଭାବେ ବାହାରିବା ପରେ ସମସ୍ତ ହାତୀ ରେଳ ୟାର୍ଡ ଛାଡ଼ି ଡୁମ୍ବରମୁଣ୍ଡା ଗାଁ ନିକଟ ପାହାଡ଼ ଅଞ୍ଚଳ ଦେଇ ଚିରୁବେଡ଼ା ଜଙ୍ଗଲ ଆଡକୁ ଚାଲି ଯାଇଥିଲେ । ଏହି ଘଟଣା ପରେ ରେଳ ବିଭାଗ ଓ ବନ ବିଭାଗ ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ହାତୀଙ୍କ ଲଗାତାର ଆଗମନକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକ ଓ ରେଳ କର୍ମଚାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।