
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ବିଭିନ୍ନ ଶୈବ ପୀଠମାନଙ୍କରେ ଉତ୍ସବମୁଖର ଭାବେ ପବିତ୍ର ଶିବ ବିବାହ କଲ୍ୟାଣ ଉତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ସହରର ମଝିବଜାର ସମ୍ମୁଖ ଗଳିରେ ଥିବା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ଦେବଦମ୍ପତି ଶିବ ଓ ପାର୍ବତୀଙ୍କ ବିବାହ କଲ୍ୟାଣ ଉତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ସମାହିତ ହୋଇଯାଇଛି । ଏକ ନିଆରା ପରମ୍ପରା କ୍ରମେ ଶିବବିବାହ ତଥା ଶୀତଳଷଷ୍ଠୀ ଉତ୍ସବ ସମ୍ପନ୍ନ ହୋଇଯାଇଛି । ଦୋଳବିମାନରେ ଦେବ ଦମ୍ପତିଙ୍କୁ ବସାଇ ବର୍ଣ୍ଣାଢ୍ୟ ପଟୁଆରର ସହ ଶୋଭାଯାତ୍ରାରେ ବାହାରି ଠାକୁରଙ୍କ ଚଳନ୍ତି ପ୍ରତିମାଙ୍କୁ ନଗର ପରିଭ୍ରମଣ କରାଯାଇଛି । ମନ୍ଦିର କମିଟି, ପୂଜକ, ସେବାୟତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ପୁରୋହିତ ମନୋଜ ଶତପଥୀଙ୍କ ପୌରହିତ୍ୟରେ ବର ପକ୍ଷରେ କେ. କଲ୍ୟାଣ କୁମାର୍ ଓ କେ. ଲଳିତା, କନ୍ୟା ପକ୍ଷରେ ସୂର୍ଯ୍ୟ ନାରାୟଣ ପଣ୍ଡା ଓ ରାଧାରାଣୀ ପଣ୍ଡା ପ୍ରମୁଖ ମୁଖ୍ୟ କର୍ତ୍ତା ଭାବେ ସକ୍ରୀୟ ଅଂଶଗ୍ରହଣ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।