
- ରାବଣ ଦରବାରରେ ଯୋଗଦେଲେ – ନରସିଂହ
- ରାବଣରାଜ ଦ୍ୱାରା ସାଧାରଣ ଜନତା ହନ୍ତସନ୍ତ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୪ ବର୍ଷର ବିଜେଡି ଶାସନ, ଦୁଇ ବର୍ଷର ବିଜେପି ଶାସନ ଦ୍ୱାରା ଅଂଚଳର କଣ ବିକାଶ ହୋଇଛି ଆଜି ପର୍ଯ୍ୟନ୍ତ ଲୋକେ ଜାଣି ପାରିନାହାନ୍ତି । ନାରୀ ନିର୍ଯ୍ୟାତନା ହେଉ କି ଆଇନ ଶୃଙ୍ଖଳା ପରିସ୍ଥିତି ସବୁଥିରେ ଓଡିଶା ପ୍ରଥମ ସ୍ଥାନ ଆଡକୁ ଅଗ୍ରସର ହେଉଛି । ଆମ ଜିଲ୍ଲା ତଥା ଏହି ଅଂଚଳ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏଥିରେ ସ୍ପଷ୍ଟ ଜଣାପଡୁଛି ଯେ, ରାମ ରାଜ୍ୟର ନାରା ଦେଉଥିବା ସରକାରମାନେ ରାବଣ ରାଜ ଚଲାଇଛନ୍ତି ଏବଂ ସାଧାରଣ ଜନତାଙ୍କୁ ରାବଣ ରାଜ ଦ୍ୱାରା ହନ୍ତସନ୍ତ କରୁଛନ୍ତି ବୋଲି ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚିକଲବାହାଲ ପଂଚାୟତର ଚିକଲବାହାଲ ଠାରେ ଅନୁଷ୍ଠିତ ଶିବ ପାର୍ବତୀ ବିବାହ ଉତ୍ସବରେ ଆୟୋଜିତ ରାବଣ ଦରବାରରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟରେ କହିଛନ୍ତି । ଏହି ଅବସରରେ ସେ ଏହା ମଧ୍ୟ କହିଛନ୍ତି ଯେ, ନାରୀ ଶକ୍ତି ବନ୍ଦନର ନାରା ଦେଉଥିବା ଡବଲ ଇଞ୍ଜିନ ସରକାରରେ ନାରୀମାନେ ସମ୍ପୂର୍ଣ୍ଣ ଅବହେଳିତ ହୋଇଅଛନ୍ତି । ନାରୀ ନିର୍ଯ୍ୟାତନା ଚରମ ସୀମାରେ ପହଂଚିଛି । ସେସବୁ ସମସ୍ୟାକୁ ସଠିକ୍ ହିସାବରେ ଗୃହ ବିଭାଗ ସମ୍ଭାଳିପାରୁନାହିଁ । ଛାତ୍ର ଯୁବକମାନଙ୍କୁ ମଧ୍ୟ ବର୍ତ୍ତମାନ ପ୍ରଶ୍ନପତ୍ର ଲିକ୍ ମାମଲା ଓ ବେରୋଜଗାରି ବହୁତ ହନ୍ତସନ୍ତ କରୁଛି । ଏଥିରୁ ମୁକୁଳିବା ପାଇଁ ପ୍ରଶାସନିକ ସ୍ତରରେ ସ୍ୱଚ୍ଛତାର ସହ କାମ କରିବାକୁ ପଡିବ । ଧାନ କିଣା ଦୁର୍ନୀତି ଏହି ରାବଣରାଜ ସମୟରେ ଚରମସୀମାରେ ପହଂଚିଛି । ଧାନକିଣା କେନ୍ଦ୍ର ଓ ଯୋଗାଣ ବିଭାଗ ଧାନ କିଣାକୁ ନେଇ ଦେଉଥିବା ତଥ୍ୟ ମେଳ ଖାଉନାହିଁ । ଆଜି ବି ଚାଷୀଙ୍କ ଧାନ ବିକ୍ରି ନ ହୋଇ ପଡିରହିଛି । ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ । ଶୀତଳଷଷ୍ଠୀ ଅବସରରେ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଂଚଳବାସୀଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ପ୍ରଗତିର ବାର୍ତ୍ତା ସଂଚରିତ ହେଉ ବୋଲି ଶ୍ରୀ ମିଶ୍ର କାମନା କରିଥିଲେ । ଆଜିର ଏହି ସାଂସ୍କୃତିକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ସକମା ସରପଂଚ ଉଗ୍ରସେନ ବରାଡ, କୁଡାସିଂହା ସମିତି ସଭ୍ୟ କମଳିନୀ ପୁଟେଲ, ବରକାନି ସରପଂଚ ବଳଦେବ ସାହୁ, କଂଗ୍ରେସ ନେତା ବୁଲୁ ଦାନି, ଜୁଲୁ ପଟ୍ଟନାୟକ, କୃଷ୍ଣ ରାଉତ, ପ୍ରହ୍ଲାଦ ପ୍ରଧାନ, ଜଗ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।