jayashree

ଆଶଙ୍କା ଭିତରେ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ ଅଞ୍ଚଳର ଚାଷୀ

ଜୟପାଟଣା, (ଶେଷଦେବ ବେହେରା) : ଚଳିତ ରବିରେ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ କେନାଲ ମାଧ୍ୟମରେ ଜୟପାଟଣା ବ୍ଲକର ୬୬୭୧ ହେକ୍ଟର ଜମିରେ ସୁରକ୍ଷିତ ଜଳ ସେଚନ ପରେ ମଧ୍ୟ ଚାଷୀଙ୍କ ପାଇଁ ମଣ୍ଡି ମାଧ୍ୟମରେ ଧାନ ବିକ୍ରି ଏକ ସମସ୍ୟା ଭାବରେ ଦେଖା ଦେଇଥିଲା । ନିଜର ନ୍ୟାୟିକ ଅଧିକାରକୁ ସାବ୍ୟସ୍ତ କରିବା ପାଇ ସଂପୃକ୍ତ କେନାଲ ପରିଧି ମଧ୍ୟରେ ଆସୁଥିବା ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ଅଞ୍ଚଳର ଚାଷୀ ଏକ ମାସ ପାଇଁ ଆନ୍ଦୋଳନରେ ସମର୍ପିତ ହେବା ପରେ ସରକାର ଧାନ କିଣିବା ପାଇଁ ସହମତି ପ୍ରକାଶ କରିଥିଲେ । ସମସ୍ତ ଘୋଷଣା ପରେ ମଧ୍ୟ ଜୟପାଟଣା ଅଞ୍ଚଳର ମେଗା ଜଳ ସେଚିତ ଅଞ୍ଚଳର ଚାଷୀଙ୍କ ଠାରୁ ଧାନକିଣା ଅଦ୍ୟାବଧି ଆରମ୍ଭ ହୋଇ ନ ଥିବାରୁ ଚାଷୀଙ୍କ ଭିତରେ ପୁଣି ଆଶଙ୍କା ବଢ଼ିବାରେ ଲାଗିଛି । ମଣ୍ଡି ପାଇଁ ଅପେକ୍ଷା କରି ରହିଥିବା ଚାଷୀ ହଜାର ହଜାର ବସ୍ତା ଧାନକୁ ନେଇ ମଣ୍ଡିମାନଙ୍କରେ ପକାଇ ସାରିଥିବା ଦେଖିବାକୁ ମିଳିଛି । କାଳ ବୈଶାଖୀ ଓ ବର୍ଷା ଦାଉରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ଖୋଲା ଆକାଶ ତଳେ ଅନେକ ଚାଷୀ ବିପର୍ଯ୍ୟୟର ଆଶଙ୍କାକୁ ନେଇ ପଡ଼ି ରହିଥିବା ଦେଖିବାକୁ ମିଳୁଛି । ପୁନଶ୍ଚ ମଣ୍ଡି ଅପେକ୍ଷାରେ ରହିଥିବା ଅନେକ ଚାଷୀ ସେମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ଶସ୍ତା ଦରରେ ବିକ୍ରି କରି ସାରିଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଜୟପାଟଣା ବ୍ଲକର ୨୪ଖଣ୍ଡ ରାଜସ୍ୱ ଗ୍ରାମର ୬୬୭୧ ହେକ୍ଟର ଜମିରେ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ କେନାଲ ମାଧ୍ୟମରେ ଜଳସେଚନ ଦିଆଯାଇଥିଲା । ସରକାରଙ୍କ ସଂପୃକ୍ତ ଅଞ୍ଚଳରୁ ବିଳମ୍ବିତ ଧାନ କିଣା ନିଷ୍ପତ୍ତି ହେବା ପରେ ଜୟପାଟଣା, ମଙ୍ଗଳପୁର ଓ ବଡ଼ ପୁଝାରୀଗୁଡ଼ା ସମବାୟ ସମିତି ମାଧ୍ୟମରେ ୩୦୭୬ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ସମବାୟ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଆସନ୍ନ ମୌସୁମୀକୁ ନଜରରେ ରଖି ଧାନକିଣା ପର୍ବ ଯଥାଶୀଘ୍ର ଆରମ୍ଭ କରି ଚାଷୀଙ୍କ ଅନେକ ଦିନର ଆଶଙ୍କାକୁ ଦୂର କରିବା ପାଇଁ ଚାଷୀ ମହଲରୁ ଦାବୀ ହେଉଛି ।

Leave A Reply

Your email address will not be published.