jayashree

ଅବିଳମ୍ବେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନୂତନ ପାଠ୍ୟପୁସ୍ତକ ପ୍ରଦାନ କର – ଏଆଇଡିଏସଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛପାଯାଇଥିବା ସମସ୍ତ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଲୋକଲୋଚନକୁ ଆସିଛି । ଏହା ଫଳରେ ରାଜ୍ୟର ଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାପ୍ରେମୀ ଜନଗଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଲଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ୍ (ଏଆଇଡିଏସଓ) ପକ୍ଷରୁ ମଧ୍ୟ ଏହାକୁ ଦୃଢ଼ ବିରୋଧ କରାଯିବା ସହ ସଂଗଠନର ରାଜ୍ୟ ସଭାପତି ସୋମନାଥ ବେହେରା ଓ ସଂପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ ବିବୃତ୍ତିରେ ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଂପର୍କରେ ଗଣଶିକ୍ଷା ମନ୍ତ୍ରୀ ପ୍ରଦାନ କରିଥିବା ଅତ୍ୟନ୍ତ ଖାମଖିଆଲି ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ଓ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନୂତନ ଜାତୀୟ ଶିକ୍ଷାନୀତି ପ୍ରଚଳନ କରିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ଧ୍ୱଂସାଭିମୁଖୀ କରାଯାଇଥିବା ବେଳେ ଅତ୍ୟନ୍ତ ବେପରୁଆ ଭାବେ ଏହି ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯାଇଛି । କେବଳ ଅଷ୍ଟମ ଶ୍ରେଣୀ ବହିରେ ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ଏବଂ ସପ୍ତମ ଶ୍ରେଣୀ ବହିରେ ୩୮୦ ରୁ ଉର୍ଦ୍ଧ୍ୱ ଭୂଲ ଥିବା ଦୃଷ୍ଟିଗୋଚର ହୋଇଛି । ମୋଟ ୧୭୦୦ଟି ଭୂଲ ପରିଲକ୍ଷିତ ହୋଇଥିବା ବେଳେ ନିରିଖେଇ ଦେଖିଲେ ଆହୁରି ଅଧିକ ଭୂଲ ବାହାରି ପାରେ । ଏଆଇଡିଏସଓ ପକ୍ଷରୁ କୁହାଯାଇଛି ଯେ, ଯେଉଁ ୧୭୦୦ଟି ଭୂଲ ବାହାରିଛି ସେଗୁଡ଼ିକ ମୁଖ୍ୟତଃ ତଥ୍ୟ ଭିତ୍ତିକ । ମାତ୍ର ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢ଼ା କାହାଣୀକୁ ଭର୍ତ୍ତି କରାଯାଇ ପାଠ୍ୟକ୍ରମର ଏକ ମୌଳିକ ଭିତ୍ତିଗତ ପରିବର୍ତ୍ତନ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ କେବଳ ତଥ୍ୟଗତ ଭାବେ ଭୁଲ ଶିକ୍ଷା ପାଇବେ ନାହିଁ । ଆହୁରି ମଧ୍ୟ ବିକୃତ ଶିକ୍ଷା ପାଇବେ, ଯଦ୍ୱାରାକି ସେମାନଙ୍କର ଚିନ୍ତା କରିବାର କ୍ଷମତା ମଧ୍ୟ ଭୟଙ୍କର ଭାବେ ବାଧାପ୍ରାପ୍ତ ହେବ । ଫଳରେ ଏହି ଭୂଲ ଶିକ୍ଷା ଗ୍ରହଣ କରି ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେ, ଅନ୍ଧକାରମୟ ହେବ କେବଳ ସେତିକି ନୁହେଁ ସେମାନେ ଅନ୍ଧତା, କୂପମଣ୍ଡୁକତାର ମଧ୍ୟ ଶିକାର ହେବେ । ଅସଲରେ ଏହି ପାଠ୍ୟ ପୁସ୍ତକ ପରିବର୍ତ୍ତନ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଏକ ସୁଦୂର ପ୍ରସାରୀ ଷଡ଼ଯନ୍ତ୍ର ଏବଂ ବିଜ୍ଞାନ ସମ୍ମତ ଶିକ୍ଷା ଠାରୁ ଭବିଷ୍ୟତ ପିଢ଼ିକୁ ଦୂରେଇ ରଖିବା ପାଇଁ ଏକ ହୀନ ଚକ୍ରାନ୍ତ ବୋଲି ଏଆଇଡିଏସଓ ପକ୍ଷରୁ ଅଭିଯୋଗ କରାଯାଇଛି । ତୁରନ୍ତ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦କୁ ସଂପୂର୍ଣ୍ଣ ବାତିଲ କରିବା, ବିଜ୍ଞାନ ସମ୍ମତ ପାଠ୍ୟକ୍ରମ ପ୍ରଚଳନ କରିବା ସହ ଗଣ ଶିକ୍ଷାମନ୍ତ୍ରୀ ସମେତ ପାଠ୍ୟପୁସ୍ତକରେ ଭୂଲ ବିଷୟ ଛାପିବାରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ସରକାର ଅବିଳମ୍ବେ ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନୂତନ ପାଠ୍ୟପୁସ୍ତକ ପ୍ରଦାନ କରନ୍ତୁ ନଚେତ ଆଗାମୀ ଦିନରେ ଦୃଢ଼ ଛାତ୍ର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଏଆଇଡିଏସଓ ବଲାଙ୍ଗିର ଜିଲ୍ଲା କମିଟିର ସମ୍ପାଦିକା ଗୌରି ରାଉତ ଏବଂ ଜିଲ୍ଲା ସଭାପତି ମଧୁସୂଦନ ବାଗ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.