
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୌଜନ୍ୟରେ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ବୁଧବାର ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ଭାଜପା ସରକାର ଅଥବା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଦାୟିତ୍ଵ ନେବାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ତିନୋଟି ସୋପାନ ଯଥା ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଏବଂ ପଞ୍ଚାୟତସ୍ତରୀୟ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁଙ୍କ ପୌରହିତରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାଶ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ମୁନା ଦାସ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ତଥା ଛତ୍ରପୁର ଗୋଷ୍ଠୀ ଚିକିତ୍ସାଧିକାରୀ ଡାକ୍ତର ସ୍ୱାଧୀନ ରଥ ଏବଂ ସମସ୍ତ ପି.ଆର୍.ଆଇ ମେମ୍ବରମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ ବୋଲି କହିଥିଲେ ଓ ଆଜି ବ୍ଳକର ମଙ୍ଗଳ ସମ୍ପ୍ରସାରଣ କାର୍ଯ୍ୟାଳୟ ତରଫରୁ ସରକାରଙ୍କ ଏହି ବିଭାଗ ଅନ୍ତର୍ଗତ ସମସ୍ତ ଯୋଜନା ଉପରେ ଷ୍ଟଲ୍ ମାଧ୍ୟମରେ ପ୍ରତିଛବି ସହ ସମସ୍ତ ବିବରଣୀ ଚିତ୍ରଣ କରାଯାଇଥିଲା । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସମସ୍ତ ଯୋଜନା ଉପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଛତ୍ରପୁର ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ମନ୍ଦାକିନୀ ମହାରଣା ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ଶେଷରେ ବ୍ଲକ୍ ଅର୍ଥ ଅଧିକାରୀ ଗିରିସ୍ ଚନ୍ଦ୍ର ମହାରଣା ଅତିଥିଙ୍କ ସମେତ ଉପସ୍ଥିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।