jayashree

ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ ଜିଲ୍ଲା ପ୍ରଶାସନ ନୂତନ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା ଦିଗରେ ଜିଲ୍ଲା ପ୍ରଶାସନ ନୂତନ ପଦକ୍ଷେପ ଗ୍ରହଣ କରିଛି । ଖପ୍ରାଖୋଲ ବ୍ଲକର ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ବିକାଶ କାର୍ଯ୍ୟ ତ୍ୱରିତ ଗତିରେ ଚାଲିଛି । ଏହା ବଲାଙ୍ଗିରର ପର୍ଯ୍ୟଟନ ମାନଚିତ୍ରରେ ନୂତନ ଆକର୍ଷଣୀୟ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନାଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଦଳ ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସେମାନେ ପ୍ରକଳ୍ପର ବିଭିନ୍ନ ଦିଗର ସମୀକ୍ଷା କରିଥିଲେ ଓ ଉନ୍ନୟନ କାର୍ଯ୍ୟର ଗୁଣାତ୍ମକ ମାନ ନିଶ୍ଚିତ କରିବାରେ ଗୁରୁତ୍ୱ ଦେଇଥିଲେ । ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ସହିତ ବ୍ଲକ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ଥାନୀୟ ସଂସ୍କୃତିକୁ ଆଧାର କରି ବିକଶିତ ହେଉଥିବା ଏହି ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପ ଆଗାମୀଦିନରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ଓ ରୋଜଗାର ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରଶାସନଙ୍କ ଏହି ପଦକ୍ଷେପ ବଲାଙ୍ଗିରର ପର୍ଯ୍ୟଟନ ମାନଚିତ୍ରକୁ ନୂତନ ଆକର୍ଷଣୀୟ ଅଧ୍ୟାୟ ଯୋଡ଼ିବା ସହିତ ସ୍ଥାନୀୟ ସମାଜର ସାମାଜିକ-ଆର୍ଥିକ ଉନ୍ନୟନରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.