
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା । ରାଇଘର ସ୍ଥିତ ମାଁ ମାଉଳି ଢାବାରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ଲିକ୍ ହେବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଢାବା ମାଲିକଙ୍କ ସମେତ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଢାବା ମାଲିକ ପରିମଳ ସିଲ ଏବଂ କର୍ମଚାରୀ ସୁବାସ ହରିଜନ ଓ ଜଗେଶ ହରିଜନ ଥିବା ସୂଚନା ମିଳିଛି । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ସ୍ଥାନୀୟ ଲୋକ ଓ ଢାବାର ଅନ୍ୟ କର୍ମଚାରୀମାନେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତିନି ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ରାଇଘର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଗ୍ୟାସ ଲିକ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ, ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ସ୍ଥାନୀୟ ବାସିନ୍ଦା ।