jayashree

ରାଜ୍ୟ ସରକାରଙ୍କ ସଫଳ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସଫଳ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନଙ୍କ ଆନୁକୂଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ, କେନ୍ଦ୍ର ସରକାରଙ୍କ ସଫଳ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବିଧାୟକ କଣ୍ଟାବାଞ୍ଜି-ତଥା-ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ସ୍ଵତନ୍ତ୍ର ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ତରଣୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ରାଜ୍ୟରେ ବିଭିନ୍ନ ପ୍ରଗତିଶୀଳ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇପାରିଛି । ସେ କହିଥିଲେ ଯେ, ସରକାର ସମାଜର ପ୍ରତ୍ୟେକ ବର୍ଗର କଲ୍ୟାଣ ପାଇଁ ପ୍ରତିଶୃତିବଦ୍ଧ ଭାବରେ କାର୍ଯ୍ୟ କରୁଛି । ସରକାରୀ ସ୍ତରରେ ମା’ମାନଙ୍କୁ ସର୍ବାଧିକ ପ୍ରାଧାନ୍ୟ ଓ ସମ୍ମାନ ଦିଆଯାଉଛି । ‘ସୁଭଦ୍ରା ଯୋଜନା’ ଓ ‘ଲକ୍ଷପତି ଦିଦି’ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଯାଉଛି । ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଏବଂ ବୈଷୟିକ ଶିକ୍ଷାର ବିକାଶ ପାଇଁ ‘ଉତ୍କର୍ଷ ଆଇଟିଆଇ’ ପ୍ରତିଷ୍ଠା କରାଯାଇଛି । ବିଦ୍ୟାଳୟ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ହ୍ରାସ କରିବାରେ ବ୍ୟାପକ ସଫଳତା ମିଳିଛି । ଯୁବପିଢ଼ିଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଖେଳକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି ଏବଂ ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯାଉଛି । ଗତ ଦୁଇ ବର୍ଷ ମଧ୍ୟରେ ବଲାଙ୍ଗିର ଜିଲ୍ଲା କୃଷି ବିଭାଗ କୃଷକ କଲ୍ୟାଣ, ଡିଜିଟାଲ କୃଷି, ସ୍ଥାୟୀ କୃଷି ପଦ୍ଧତି, ଫସଲ ବିବିଧୀକରଣ ଏବଂ କୃଷି ଉଦ୍ୟୋଗିକତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ପଦକ୍ଷେପ “ସମୃଦ୍ଧ କୃଷକ ଓ ବିକଶିତ ଓଡ଼ିଶା” ଗଠନରେ ସହାୟକ ହୋଇଛି । ‘ସିଏମ୍‌ କିଷାନ’ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ସୁନିଶ୍ଚିତ କରାଯାଉଛି । ସିଏମ୍‌ କିଷାନ ଏବଂ ପିଏମ୍‌ କିଷାନ ଯୋଜନା ମାଧ୍ୟମରେ କୃଷକଙ୍କ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରାଯାଇଛି । ଏହି ଅବଧିରେ ବଲାଙ୍ଗିରର ୩,୨୪,୬୪୯ ଜଣ କୃଷକ ଓ ଭୂମିହୀନ କୃଷି ପରିବାର ସିଏମ୍‌ କିଷାନ ଯୋଜନାରେ ଉପକୃତ ହୋଇଥିବା ବେଳେ ୨,୦୪,୭୬୨ ଜଣ କୃଷକ ପିଏମ୍‌ କିଷାନ ଯୋଜନା ମାଧ୍ୟମରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଦ୍ୱାରା ସହାୟତା ପାଇଛନ୍ତି । ‘ଆୟୁଷ୍ମାନ ଯୋଜନା’ ମାଧ୍ୟମରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି । ସେହିପରି, ‘ସ୍ୱଚ୍ଛ ଭାରତ ଯୋଜନା’ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହିତ ଜନସାଧାରଣଙ୍କୁ ଏକ ସୁସ୍ଥ ଓ ନିର୍ମଳ ପରିବେଶ ପ୍ରଦାନ କରିବାରେ ସରକାର ସଫଳ ହୋଇଛନ୍ତି । ଜିଲ୍ଲା ତଥା ରାଜ୍ୟର ପର୍ଯ୍ୟଟନ ଶିଳ୍ପର ଉନ୍ନତି ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି । ବଲାଙ୍ଗିରର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟୀକରଣ ସହିତ ଇକୋ-ଟୁରିଜିମ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି ।
ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ମନ୍ତ୍ରୀ ‘ଏକ ପେଡ୍ ମା କେ ନାମ୍’ ଅଭିଯାନ ଅନ୍ତର୍ଗତ ଖୁଜେନପାଲିରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମନ୍ତ୍ରୀ ବୃକ୍ଷ ରୋପଣ କରି ସବୁଜ ଓ ସୁସ୍ଥ ପରିବେଶ ଗଠନର ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବୃକ୍ଷ ରୋପଣ କରିଥିଲେ । ଏହାପରେ ମନ୍ତ୍ରୀ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଇନତାଲା ଠାରେ ଅନୁଷ୍ଠିତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସେ ନିଜେ ସଫାଇ କାର୍ଯ୍ୟରେ ଅଂଶଗ୍ରହଣ କରି ସୁସ୍ଥ ଓ ସଚେତନ ସମାଜ ଗଠନର ପ୍ରେରଣା ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ, ସରକାରଙ୍କ ଏହି ମହତ୍ କାର୍ଯ୍ୟରେ ଜିଲ୍ଲାବାସୀଙ୍କ ସକ୍ରିୟ ଭାଗିଦାରୀ ସୁସ୍ଥ ସମାଜ ଗଠନରେ ସହାୟକ ହେବ । ଏହି ସାମ୍ବାଦିକ ସମ୍ମିଳନୀ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶି, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଜିଲ୍ଲା କ୍ରିଡା ଅଧିକାରୀ ପରାଶର ବାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ବଲାଙ୍ଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷୀକେଶ ଗଣ୍ଡଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.