
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଆଦିବାସୀ ସମାଜ ସମ୍ପର୍କରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଦେଇଥିବା କଥିତ ବିବାଦୀୟ ମନ୍ତବ୍ୟକୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ଏହାର ପ୍ରତିବାଦରେ ଆଦିବାସୀ ସଂଘ, ବଙ୍ଗୋମୁଣ୍ଡା ପକ୍ଷରୁ ବଙ୍ଗୋମୁଣ୍ଡା ଥାନାରେ ବିଧାୟକଙ୍କ ନାମରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ବିଧାୟକଙ୍କ ମନ୍ତବ୍ୟ ଆଦିବାସୀ ସମାଜର ଭାବାବେଗ ଓ ସମ୍ମାନକୁ ଆଘାତ ପହଞ୍ଚାଇଛି । ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରି ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପାଟଣାଗଡ଼ରେ ମଧ୍ୟ ବିଧାୟକଙ୍କ ମନ୍ତବ୍ୟକୁ ନେଇ ଆଦିବାସୀ ସମାଜ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗରେ ଆଦିବାସୀ ସଂଘ ଚେତାବନୀ ଦେଇଛି ଯେ, ଯଦି ପୁଲିସ ପ୍ରଶାସନ ପକ୍ଷରୁ ବିଧାୟକଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ, ତେବେ ସଂଘ ଗଣତାନ୍ତ୍ରିକ ଉପାୟରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ର କରିବ । ଏହି ଘଟଣାକୁ ନେଇ ଜିଲ୍ଲାର ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚା ଜୋର ଧରିଛି ।