jayashree

ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ତରଫରୁ ରଜଉତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଗଡ଼ମୋଟରୀ, ପରିସରରେ ପୂର୍ବାହ୍ନ ୮ଟା ସମୟରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ତରଫରୁ ରଜ ମହୋତ୍ସବ -୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଗଣପର୍ବ ଓ କୃଷି ଭିତ୍ତିକ ପର୍ବର ମହତ୍ୱ ବିଷୟରେ ଆଲୋଚନା କରିଥିଲେ ଏବଂ ସମ୍ମାନିତ ଅତିଥିଭାବେ ଶ୍ରୀରାଧା ସାହିତ୍ୟ ସୃଜନୀର ପ୍ରତିଷ୍ଠାତା ହରିହର ବଳବନ୍ତରାୟ ଓଡିଆ ଭାଷା ସାହିତ୍ୟରେ ରଜପର୍ବର ମହତ୍ୱକୁ ଗୁରୁତ୍ୱ ଦେଇ ଓଡ଼ିଶାର ଜାତୀୟ ପର୍ବ ବିଷୟରେ ଆଲୋକପାତ କରିଥିଲେ । ଗ୍ରାମ୍ୟ ରମ୍ୟର ପ୍ରତିଷ୍ଠାତା ତଥା ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ଉପଦେଷ୍ଟା ଗୋପାଳ ଚନ୍ଦ୍ର ମହାପାତ୍ର ଶିଶୁ କିଶୋରମାନଙ୍କୁ ବିଭିନ୍ନ ପର୍ବପର୍ବାଣୀ ପାଳନ ବିଷୟରେ ଆଲୋଚନା କରିବଳ ସହିତ ଛୋଟ ଛୋଟ ପ୍ରଶ୍ନ ମାଧ୍ୟମରେ ରଜପର୍ବ ଉପରେ ଆଲୋଚନା କରିଥିଲେ ଏବଂ ପର୍ବ ଚାରି ଦିନର କାର୍ଯ୍ୟକ୍ରମକୁ ବୁଝାଇଥିଲେ । ଆଜିର ଏହି ପହିଲି ରଜ ଅବସରରେ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ଦାଶଙ୍କ ରଚିତ ଆମ ରଜ ଗୀତ ପୁସ୍ତକ ଅତିଥି ଓ କୁନି ପାଠକ ପାଠିକାଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ରଜଉତ୍ସବ ପାଳନ ଅବସରରେ ମେହେନ୍ଦି ଲଗାଇବା, ଅଳତା ଲଗାଇବା, ପୁଚି ଖେଳିବା ପ୍ରତିଯୋଗିତା ସହିତ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତା କରାଯାଇଥିଲା । ସବୁଠୁ ନିଆରା କାର୍ଯ୍ୟକ୍ରମ ଥିଲା ରଜ ଦୋଳିରେ ବସି ରଜ କବିତା ଆବୃତ୍ତି କରିବା । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସଦସ୍ୟମାନେ ହେଲେ ବିଜୟ ଲକ୍ଷ୍ମୀ ଜେନା, ଲକ୍ଷ୍ମୀ ପ୍ରିୟା ଜୟ ସିଂହ, ଲକ୍ଷ୍ମୀ ଜୟସିଂହ, ଶୁଭସ୍ମିତା ବେହେରା, ମିଲିନା ସାହୁ, ଲକ୍ଷ୍ମୀ ପ୍ରିୟା ବେହେରା, ପ୍ରୀତି ରେଖା ରାଉତ ରାୟ, ସାଞ୍ଜ ପ୍ରିୟଦର୍ଶିନୀ ପ୍ରଭୃତି ରଜ କବିତା ଆବୃତ୍ତି କରିବା ସହିତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିବା ବେଳେ ରଜଉତ୍ସବର ମୁଖ୍ୟ ଆୟୋଜିକା ଥିଲେ, ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ଦାଶ । ପରିଶେଷରେ ସୁଶ୍ରୀ ବିଜୟ ଲକ୍ଷ୍ମୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.