
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ବକଟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଜାତୀୟସ୍ତରରେ ମାନ୍ୟତା ମିଳିଛି । ଏଥିପାଇଁ ସାରା ଓଡ଼ିଶାର ଯୋଗ୍ୟ ବିବେଚିତ ପାଞ୍ଚଟି ଅନୁଷ୍ଠାନ ମଧ୍ୟରେ ସର୍ବାଧିକ ୯୪.୫ ପ୍ରତିଶତ ସ୍କୋର ସହ ଜାତୀୟ ଗୁଣବତ୍ତା ମାନଙ୍କ ନିଶ୍ଚିତତା ପ୍ରମାଣିତ ହୋଇଥିବାରୁ ନେସନାଲ ହେଲଥ ରିସୋର୍ସ ସେଣ୍ଟର ତରଫରୁ ଓଡିଶା ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଦ୍ଦଶକଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି । ଏଥି ନିମନ୍ତେ ବିଗତ ଦିନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଟିମ୍ ଯାଞ୍ଚ ପ୍ରକ୍ରିୟା ବେଳେ ଆରୋଗ୍ୟ ମନ୍ଦିର ସ୍ତରୀୟ ରୋଗୀ ସେବା ତଥା ପାରିପାଶ୍ୱର୍ିକ ଉନ୍ନୟନ ଏବଂ ତଥ୍ୟ ଉପସ୍ଥାପନ ଦେଖି ଅତ୍ୟନ୍ତ ସନ୍ତୋଷଜନକ ଟିପ୍ପଣୀ ଦେଇଥିଲେ । ଏହି ଆଶାତୀତ ସଫଳତା ନିମନ୍ତେ ମିଳିତ ଭାବେ କାର୍ଯ୍ୟ ସମ୍ପାଦନା କରୁଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୟଦ ମୁଖତାର ଅଲ୍ଲୀ, ମହିଳା ସ୍ୱାସ୍ଥ୍ୟକର୍ମୀ କୁନ୍ତୀ ବିଶ୍ୱାଳ, ସରସ୍ଵତୀ ସେଠ୍ ତଥା ସମସ୍ତ ଆଶାକର୍ମୀ, ସ୍ୱେଚ୍ଛାସେବୀ ଓ ଜନ ସାଧାରଣଙ୍କ ସହଯୋଗ କାମନା କରିବା ସହ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ନିମନ୍ତେ ସଂକଳ୍ପ ବଦ୍ଧ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଏଥିପାଇଁ ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।