jayashree

ଦାମୀ କାର୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ : ଧରିଲା ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାମୀ କାର୍‌ରେ କରୁଥିଲେ ଖେଳ । ଧରିଲା ବଲାଙ୍ଗିରର ଅବକାରୀ ବିଭାଗ । ଅବକାରୀ ଟିମ୍‌ ଫିଲ୍ମ ଷ୍ଟାଇଲରେ ଧଳା ରଙ୍ଗର ଦାମୀ ଥାର୍‌ ଗାଡ଼ିକୁ କାବୁ କରି ଧରିବାରେ ସଫଳ ହୋଇଛି । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି ଇନ୍‌ଚାର୍ଜ ସୁପରିଟେଣ୍ଡେଣ୍ଟ ଅର୍ଣ୍ଣପୂର୍ଣ୍ଣା ରଥ । ରବିବାର ଭୋରରୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର୍‌ ଗାଡ଼ି ଦ୍ରୁତ ଗତିରେ ଆସୁଥିଲା । ତାକୁ ଅଟକାଇବାକୁ ପ୍ରୟାସ କରିବାରୁ ପଳାଇବାକୁ ଲାଗିଥିଲା । ପୁଇଁତଲା ଭାଲେର ଛକରେ ତାକୁ ଅଟକାଇବାରେ ସଫଳ ହୋଇଥିଲା ଅବକାରୀ ବିଭାଗ । ଆଉ ଜାଣିବାକୁ ପାଇଥିଲା ଯେ, ଗାଡ଼ିରେ ଚାଲାଣ ହେଉଛି ୩୭୦ କେଜି ଗଞ୍ଜେଇ । ଯାହାକୁ ଜବତ କରିବା ସହ ଗାଡ଼ି ଭିତରୁ ଝାଡ଼ଖଣ୍ଡର ସଲମାନ ଆଲମ ଏବଂ ମହମ୍ମଦ ଅସିଫ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲାରୁ ମହାରାଷ୍ଟ୍ରର ମୁମ୍ବାଇକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଅବକାରୀ ଟିମ୍‌ ଏହାକୁ କାବୁ କରି ନେଇଛି । ତେବେ ଘଟଣାର ମୂଳକୁ ପହଂଚିବା ପାଇଁ ଅବକାରୀ ବିଭାଗ ତଦନ୍ତ ଚଲାଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଇନ୍‌ଚାର୍ଜ ସୁପରିଟେଣ୍ଡେଣ୍ଟ ଅର୍ଣ୍ଣପୂର୍ଣ୍ଣା ରଥ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.