
୧୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର : ବଙ୍ଗୋମୁଣ୍ଡାକୁ ଏନ୍ଏସି ମାନ୍ୟତା ଠାରୁ ବେକାର ଯୁବକଙ୍କ ଥଇଥାନ ପର୍ଯ୍ୟନ୍ତ ଉଠିଲା ବିଭିନ୍ନ ପ୍ରସଙ୍ଗ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଙ୍ଗୋମୁଣ୍ଡା ଅଞ୍ଚଳର ବିଭିନ୍ନ ଜନସମସ୍ୟାର ସମାଧାନ ଦାବି କରି ରାଜ୍ୟ ଯୁବ ବିଜୁଜନତା ଦଳ ପକ୍ଷରୁ ଯୁବ ସାଧାରଣ ସମ୍ପାଦକ ଅଜିତ ଯୋଶୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏହି ସ୍ମାରକପତ୍ର ପ୍ରେରଣ କରାଯାଇଥିବା ସୂଚନା ମିଳିଛି । ଏହି ଅବସରରେ ଅତିଥି ଭାବେ ଯୋଗଦେଇ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉପସ୍ଥିତ ରହି ଜନସାଧାରଣଙ୍କ ଦାବି ସମ୍ପର୍କରେ ମତ ପ୍ରକାଶ କରିଥିଲେ ଏବଂ ସରକାରଙ୍କୁ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ଦାବି ମଧ୍ୟରେ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୀଘ୍ର କାର୍ଯ୍ୟକାରିତା, ବିଧବା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତାକୁ ୩୫୦୦ ଟଙ୍କାକୁ ବୃଦ୍ଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାସିକ ଭତ୍ତା, ବଙ୍ଗୋମୁଣ୍ଡାକୁ ଏନ୍ଏସି ମାନ୍ୟତା, ପ୍ରକୃତ ଚାଷୀଙ୍କୁ ମାଗଣା ସାର ଓ ୩୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଣ ପ୍ରମୁଖ ରହିଛି । ଏହାସହ ପୂର୍ବରୁ ବକେୟା ଥିବା ଛତା, ଚପଲ ଓ କମ୍ବଳ ବଣ୍ଟନ, ବେକାର ଶିକ୍ଷିତ ଯୁବକ-ଯୁବତୀଙ୍କ ଥଇଥାନ, ଇନ୍ଧନ ଗ୍ୟାସ ସମସ୍ୟା ସମାଧାନ, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ, ଏମ୍.ବି.କେ., ସିଆରପି, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଓ କୃଷି ମିତ୍ରଙ୍କୁ ସ୍ଥାୟୀ ଦରମା ପ୍ରଦାନ ସହ ଖାଉଟି ସାମଗ୍ରୀର ଦର କମାଇବାକୁ ମଧ୍ୟ ଦାବି ଉଠାଯାଇଛି । ରାଜ୍ୟ ଯୁବ ବିଜୁଜନତା ଦଳର ସାଧାରଣ ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଏହାର ନକଲ ମୁଖ୍ୟ ଶାସନ ସଚିବ, ଗୃହମନ୍ତ୍ରୀ, ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ, ବଲାଙ୍ଗିର ଜିଲ୍ଲାପାଳ ଏବଂ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ମଧ୍ୟ ପ୍ରେରଣ କରାଯାଇଛି ।