jayashree

ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କଟକ, (କେପିଏନ୍‌ଏସ୍‌) : କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦା ପଂଚାୟତ ସ୍ଥିତ ସଞ୍ଜୟ କୁମାର ସାମଲଙ୍କ ଘରୁ ଗତକାଲି ବିଳମ୍ବିତ ରାତ୍ରିରେ ଘରର ଝରକା ତାଡ଼ି ଆଲମାରୀ ଭାଙ୍ଗି ସମସ୍ତ ସୁନା ଗହଣା ସହିତ ଶ୍ରୀ ସାମଲଙ୍କ ସ୍ତ୍ରୀ ସସ୍ମିତା ସାମଲଙ୍କ ଭ୍ୟାନିଟ ବ୍ୟାଗ ସହ ୯୦୦୦ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ଗତରାତ୍ରିରେ ଖଲର୍ଦା ଅଂଚଳରେ ବିଦ୍ୟୁତ ସମସ୍ୟା ଯୋଗୁଁ ଅଂଚଳ ସମ୍ପୂର୍ଣ୍ଣ ଅନ୍ଧାର ରହିଥିବା ଯୋଗୁଁ ଚୋରମାନେ ଏହାର ସୁଯୋଗ ନେଇଥିବା ଜଣାପଡିଛି । ଘରର ସମସ୍ତ ସଦସ୍ୟ ଅତ୍ୟଧିକ ଗରମ ଯୋଗୁଁ ସମସ୍ତେ ଛାତ ଉପରେ ଶୋଇଥିବା ଅବସ୍ଥାରେ ଚୋରି ହୋଇଛି ବୋଲି ଜଣା ପଡିଛି । ଚୋରି ହୋଇଥିବା ଜିନିଷ ମଧ୍ୟରେ ଗୋଟିଏ ସୁନାହାର, ୨ଟି ସୁନା ମଙ୍ଗଳସୂତ୍ର, ଶଙ୍ଖା ଦୁଇ ହଳ, ଗୋଟିଏ ସୁନାଚେନ, ୨ଟି ସୁନା ପଦକ, ୪ ହଳ ରୂପା ପାଉଁଜି, ରୂପା ଗୋଡ଼ ମୁଦି ୩ ହଳ, ରୂପା ଖଡୁ ୩ ହଳ ଏବଂ ଭ୍ୟାନିଟି ବ୍ୟାଗ ସହିତ ୯୦୦୦ ଟଙ୍କା ଚୋରି ହୋଇଥିବା ଜଣାପଡିଛି । କିଛିମାସ ପୂର୍ବେ ଉଷୁମା ଗ୍ରାମ ପଂଚାୟତ ଦକ୍ଷିଣ ଉଷୁମା ଗ୍ରାମର ଦିଗମ୍ବର ସାହୁ ଏବଂ ନଗରୀ ଗ୍ରାମ ପଞ୍ଚାୟତ ସନ୍ତୋଳ ଗ୍ରାମରେ ଠିକ ଏହି ଶୈଳୀରେ ଚୋରି ହୋଇଥିଲା । ଆଜି ପର୍ଯ୍ୟନ୍ତ ପୋଲିସ ଚୋରି ହୋଇଥିବା ସୁନା ଗହଣା କିମ୍ବା ଚୋରମାନଙ୍କୁ ଧରିବାରେ ଏକପ୍ରକାର ବିଫଳ ହୋଇଛି । ଏମିତି ସଦର ଥାନା ଅଞ୍ଚଳରେ ବାରମ୍ବାର ସମାନ ଢଙ୍ଗରେ ଚୋରି ହେଉଥିବାରୁ କଟକ ସଦର ଥାନା ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଚୋରମାନେ ପୋଲିସକୁ କୋଉଠି ନାଁ କୋଉଠି ଚ୍ୟାଲେଞ୍ଜ ଦେଇ ଏଭଳି କାଣ୍ଡ ଭିଆଉଛନ୍ତି । ଘଟଣାସ୍ଥଳରେ କଟକ ସଦର ଥାନା ଅଧିକାରୀ ତୁଷାରକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ଟିମ ପହଂଚି ଚୋରଙ୍କୁ ଧରିବା ପାଇଁ ତଦନ୍ତ ଚଲାଇଛନ୍ତି । ଏହା ସହିତ ଚୋରମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ସାଧାରଣରେ ଅଭିଯୋଗ ହେଉଛି ଯେ, ସଦର ଥାନାଠୁ ଗ୍ରାମାଞ୍ଚଳର ଦୂରତା ୧୫ କି.ମି.ରୁ ଅଧିକ ହୋଇଥିବାରୁ ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂ ଠିକ ସମୟରେ ହେଉନଥିବାରୁ ଚୋରମାନେ ସକ୍ରିୟ ହେବା ସହିତ ଗ୍ରାମାଞ୍ଚଳରେ ଚୋରି ବୃଦ୍ଧି ପାଇଛି । ତେବେ, କଟକ ସଦର ପୋଲିସ ତଦନ୍ତ କରି ଚୋରମାନଙ୍କୁ କିଭଳି ଧରିବାରେ ସକ୍ଷମ ହୋଇପାରୁଛି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.