
- ନବସେତୁ ଓବିସି-ଏସ୍ଟି-ଏସ୍ସି ସମନ୍ୱୟ ସମିତିର ପୌରପାଳିକା ନିକଟରେ ସ୍ମାରକପତ୍ର ପ୍ରଦାନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ସୌନ୍ଦର୍ଯ୍ୟୀକରଣ ଅଭିଯାନ ଅଧୀନରେ ସରକାରୀ କାର୍ଯ୍ୟାଳୟଗୁଡ଼ିକର କାନ୍ଥରେ ଦେଶର ମହାପୁରୁଷ ଓ ସମାଜ ସୁଧାରକଙ୍କ ଫଟୋଚିତ୍ର ସାମିଲ କରିବା ପାଇଁ ଦାବି ଉଠିଛି । ସକାଳ ୧୦ଟାରେ ନବସେତୁ ମାସିକ ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଏବଂ ଓବିସି-ଏସ୍ଟି-ଏସ୍ସି ସମନ୍ୱୟ ସମିତି, ବଲାଙ୍ଗିର ସଭାପତି ସରୋଜ କୁମାର ମେଶ୍ଵା ଏକ ପ୍ରତିନିଧି ଦଳ ସହ ବଲାଙ୍ଗିର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନ ବଲାଙ୍ଗିର ସହର ସୌନ୍ଦର୍ଯ୍ୟୀକରଣ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କାନ୍ଥରେ ରଙ୍ଗ-ବେରଙ୍ଗ ଚିତ୍ର ଅଙ୍କନ କରାଯାଉଛି । ଏହି ସୌନ୍ଦର୍ଯ୍ୟୀକରଣ ମଧ୍ୟରେ ଯଦି ସମାଜ ସୁଧାର ଓ ମାନବ କଲ୍ୟାଣ ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାପୁରୁଷଙ୍କ ଫଟୋଚିତ୍ର ସାମିଲ କରାଯାଏ, ତେବେ ତାହା ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ଦାବିପତ୍ରରେ ଯେଉଁ ମହାପୁରୁଷଙ୍କ ଫଟୋଚିତ୍ର ସାମିଲ କରିବାକୁ ଅନୁରୋଧ କରାଯାଇଛି ସେମାନେ ହେଲେ –
୧. ଡଃ ଭୀମରାଓ ଆମ୍ବେଦକର
୨. ମହାତ୍ମା ଜ୍ୟୋତି ରାଓ ଫୁଲେ
୩. ମାତା ସାବିତ୍ରୀ ବାଇ ଫୁଲେ
୪. ସାହୁଜୀ ମହାରାଜା
୫. ଗୌତମ ବୁଦ୍ଧ
୬. ଧରିତ୍ରୀ ଆବା ବିର୍ସା ମୁଣ୍ଡା
ପ୍ରତିନିଧି ଦଳ କହିଛନ୍ତି, ଏହି ମହାନ୍ ବ୍ୟକ୍ତିମାନଙ୍କ ଜୀବନ ଓ ଆଦର୍ଶ ସାମାଜିକ ସମାନତା, ଶିକ୍ଷା, ନ୍ୟାୟ ଏବଂ ମାନବ କଲ୍ୟାଣ ଉପରେ ଆଧାରିତ । ସରକାରୀ କାର୍ଯ୍ୟାଳୟ ଭଳି ସର୍ବସାଧାରଣ ସ୍ଥାନରେ ସେମାନଙ୍କ ଚିତ୍ର ରହିଲେ ପ୍ରତିଦିନ ହଜାର ହଜାର ଲୋକଙ୍କ ନିକଟରେ ସେମାନଙ୍କ ବାର୍ତ୍ତା ପହଞ୍ଚିବ । ଏହା ନୂତନ ପିଢ଼ିକୁ ସାମାଜିକ ନ୍ୟାୟ ଓ ସର୍ମପଣର ମାର୍ଗ ଦେଖାଇବ । ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଯେ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ଏହି ପ୍ରସ୍ତାବକୁ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକାରୀ କରାଯାଉ । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିନିଧି ଦଳଙ୍କ ପ୍ରସ୍ତାବକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।