jayashree

ବଲାଙ୍ଗିର ସହରରେ ନିଶା କାରବାର ବିରୋଧରେ ପୋଲିସର ବଡ଼ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ନିଶା କାରବାର ବିରୋଧରେ ପୋଲିସକୁ ମିଳିଛି ବଡ଼ ସଫଳତା । ସହରର ସ୍ମାର୍ଟ ପାର୍କ ନିକଟସ୍ଥ ବାଇପାସ ରାସ୍ତାରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର କଫ ସିରପ ଜବତ କରିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏକ ସମ୍ବଲପୁର ନମ୍ବର ବିଶିଷ୍ଟ କାରକୁ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ, ବାଇପାସ ରାସ୍ତା ଦେଇ ନିଶାଦ୍ରବ୍ୟ ପରିବହନ ହେଉଥିବା ନେଇ ପୋଲିସକୁ ଗୁପ୍ତ ଖବର ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ କଡ଼ା ନାକାବନ୍ଦୀ କରାଯାଇ ଏକ ସନ୍ଦିଗ୍ଧ କାରକୁ ଅଟକାଇ ତଲାସି କରାଯାଇଥିଲା । ତଲାସି ବେଳେ ଗାଡ଼ି ଭିତରୁ ବହୁ ପରିମାଣର କଫ ସିରପ ଜବତ ହୋଇଥିଲା । ପୋଲିସ ଘଟଣାସ୍ଥଳରୁ ୫ ଜଣ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା ଜାରି ରଖିଛି । ଜବତ କଫ ସିରପ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେବାକୁ ଥିଲା, ସେନେଇ ପୋଲିସ ଅଧିକ ତଦନ୍ତ କରୁଛି । ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ବଲାଙ୍ଗିର ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ସ୍ୱାଗତ କରାଯାଇଛି । ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.