
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ବଡ଼ଟିକା, ଝରଣିପାଲି ପଂଚାୟତର କନ୍ଫ୍ରେନସ୍ ହଲ ତଥା ନୁନିଆପାଲି ପଂଚାୟତର ପାଣ୍ଡେସରା ଗ୍ରାମ ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତଥା ଅଜିମ ପ୍ରେମଜି ଫାଉଣ୍ଡେସନ ତରଫରୁ ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମ ପଂଚାୟତ ଗୁଡିକରେ ଥିବା ମହକ କିଶୋରୀ ସଂଗଠନ ସଭ୍ୟ ତଥା ନେତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଝରଣିପାଲି ପଂଚାୟତ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁନିତା ସାହୁ ଯୋଗଦେଇ ଋତୁଶ୍ରାବ ସମୟରେ ସ୍ୱଚ୍ଛତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିବା ସହିତ ଉପସ୍ଥିତ କିଶୋରୀ ମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ସାନିଟାରୀ ପେଡ ବ୍ୟବହାର, ଆଇରନ ବଟିକା ସେବନ ତଥା ପୃଷ୍ଟିକର ଖାଦ୍ୟ ଖାଇବା ସାଙ୍ଗକୁ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଏଥିସହିତ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସରକାରୀ ବ୍ୟବସ୍ଥାରେ ଉପଲବ୍ଧ ଏକ ଜଣା ଅଜଣା କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା କିଶୋରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସେମାନେ ବିଭିନ୍ନ ଗୀତନାଚ ମାଧ୍ୟମରେ ଉତ୍ସାହର ସହିତ ଏହି ଦିବସକୁ ପାଳନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ଆଲୋକ ପାଠାଗାରର ଅଭିଜିତ ମିଶ୍ର, ପ୍ରହ୍ଲାଦ ପଧାନ, ନମିତା ପଧାନ, ସୁଶାନ୍ତ ସା, ବର୍ଷା ଜୁଏଡ଼ଙ୍କ ସମେତ ଗ୍ରାମର ଅଙ୍ଗନବାଡି ତଥା ଆଶାକର୍ମୀ ସହଯୋଗ କରିଥିଲେ ।