
- ତାଲିମ ସୁବିଧା ପାଇ ପାରିବେ ପଞ୍ଚାୟତ କର୍ମକର୍ତ୍ତା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସହରର ରାମେଶ୍ୱର ଷ୍ଟାଡିୟମ ପାଖରେ ନୂତନ ଭାବରେ ନିର୍ମିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଶୁଭ ଉଦଘାଟନ କରିଛନ୍ତିଫ ଏହି ଜିଲ୍ଲା ପଞ୍ଚାୟତ କେନ୍ଦ୍ରରେ ପଞ୍ଚାୟତି ରାଜ ଅନୁଷ୍ଠାନ ମାନଙ୍କର ସମସ୍ତ ସଭ୍ୟ ଓ ସଭ୍ୟା ପ୍ରତିନିଧି କର୍ମଚାରୀ ବୃନ୍ଦ, ସମାଜ କଲ୍ୟାଣ ବିଭାଗ ଅଙ୍ଗନବାଡ଼ି କର୍ମୀ, ପରିଦର୍ଶିକା ଓ ମିଶନ ଶକ୍ତି ବିଭାଗର କର୍ମଚାରୀ ଯଥା ଏମବିକେ ଓ ସିଆରପିମାନଙ୍କ ସମେତ ଅନ୍ୟବିଭାଗ କର୍ମଚାରୀ ପାଇଁ ରେସିଡେନସିଆଲ ତାଲିମ ଦେବାରେ ଉପଯୋଗୀ ହେବ । ୨ କୋଟି ୨୯ ଲକ୍ଷ ୯୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ସାଧନ କେନ୍ଦ୍ରର କ୍ଷମତା ୫୦ ରହିଛି ଏବଂ ଏଥିରେ ରହିବା ପାଇଁ ଆବଶ୍ୟକ ସୁବିଧା ବ୍ୟବସ୍ଥା ରହିଛି । ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାର ପଞ୍ଚାୟତ କର୍ମକର୍ତ୍ତାମାନେ ତାଲିମ ପାଇଁ ଭବାନୀପାଟଣା ଓ ଭୁବନେଶ୍ୱରକୁ ଯାଉଥିଲେ କିନ୍ତୁ ଏବେ ସେମାନେ ଏହି ସ୍ଥାନୀୟ କେନ୍ଦ୍ରରେ ପ୍ରଶିକ୍ଷଣ ନେଇପାରିବେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ, ସୋନପୁରରେ ଉତ୍ପାଦିତ ଶାଢ଼ୀର ସ୍ୱତନ୍ତ୍ର ପରିଚୟ ରହିଛି ଓ ଏହାର ଚାହିଦା ବୃଦ୍ଧି ପାଉଥିବା ସହ ରାଜ୍ୟର ବିଭିନ୍ନ ମେଳାରେ ବିକ୍ରି ବଢ଼ୁଛି । ସେ ବିକଶିତ ଗାଁ ଓ ବିକଶିତ ଓଡିଶା ପାଇଁ ମନରେଗା ଯୋଜନାରୁ ଭିବିଜୀରାମଜୀ ଯୋଜନା ଅଧୀନରେ କାର୍ଯ୍ୟ କରିବା ଯେଉଁଥିରେ ୧୦୦ ଦିନର କାମକୁ ୧୨୫ ଦିନ କରାଯାଇଥିବା କଥା ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ଏହି କେନ୍ଦ୍ରର ପରିଚାଳନା ଦାୟିତ୍ୱ ଏକ ସ୍ୱତନ୍ତ୍ର ସଂସ୍ଥା ବହନ କରିବ । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଯୋଗ ଦେଇଥିଲେ । ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ ସଭା ପରିଚାଳନା କରିବା ସହିତ ସମସ୍ତ ଅତିଥିମାନଙ୍କୁ ସ୍ଵାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।