jayashree

ରବି ଜଳସେଚନ ଅବଧି ପୂରଣରେ ପାଞ୍ଚଦିନ ବାକି

ଜୟପାଟଣା, (ଶେଷଦେବ ବେହେରା) : ଚଳିତ ବର୍ଷ ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥାରେ ୭୬, ୪୩୦ ହେକ୍ଟର ଜମିରେ ଜଳସେଚନର ସୁଯୋଗ ଦେଇ ଏକ ରେକର୍ଡ ତିଆରି କରାଯାଇଥିବା ବେଳେ ଆସନ୍ତା ମେ ୧୭ରୁ ରବି ଜଳସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସୂଚନା ମିଳିଛି । କେତେକ ଅଞ୍ଚଳରେ ଧାନର ସ୍ଥିତାବସ୍ଥାକୁ ନଜରରେ ରଖି ଜିଲ୍ଳା ପ୍ରଶାସନ ଓ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗ ମେ ସାତ ତାରିଖ ପରିବର୍ତ୍ତେ ୧୭ତାରିଖ ପର୍ଯ୍ୟନ୍ତ ଜଳ ସେଚନ ଜାରି ରହିବ ବୋଲି ସୂଚନା ମିଳିଛି । ଏହି ନିଷ୍ପତ୍ତିକୁ ତଳିଆ ଅଞ୍ଚଳର ଚାଷୀ ସ୍ଵାଗତ ଜଣାଇଛନ୍ତି । ଚଳିତ ରବିରେ ଚଳିତ ବର୍ଷର ରବି ଜଳସେଚନର ଶୁଭାରମ୍ଭ ଦିନ ଜଳଭଣ୍ଡାରର ଜଳସ୍ତର ୬୪୦.୭୧ ମିଟର ଅର୍ଥାତ୍ ୮୮.୩୪ ପ୍ରତିଶତ ରହିଥିଲା । ଗତବର୍ଷ ସେହି ଦିନରେ ୬୩୨.୧୬ ଅର୍ଥାତ୍ ୩୩.୮୫ ପ୍ରତିଶତ ରହିଥିଲା । ଆଜିର ଦିନରେ ଗତବର୍ଷ ୬୨୭.୩୭ ମିଟର ଅର୍ଥାତ୍ ୧୦.୦୩ ପ୍ରତିଶତରେ ରହି ସର୍ବ ନିମ୍ନସ୍ତରକୁ ଖସି ସାରିଥିଲା । ଚଳିତ ରବିରେ ବାମ ମୁଖ୍ୟ କେନାଲରେ ୩୭, ୫୦୦ ହେକ୍ଟର, ଦକ୍ଷିଣ ମୁଖ୍ୟ କେନାଲରେ ୨୦, ୦୭୩ ଓ ମେଗା ଉଠା ଜଳସେଚନ କେନାଲରେ ୧୮, ୮୫୫ ହେକ୍ଟର ଜମିରେ ଜଳସେଚନ ଦିଆ ଯାଇଥିବା ତଥ୍ୟରୁ ପ୍ରକାଶ । ଚାଷ ଜମିର ଆବଶ୍ୟକତାକୁ ନଜରରେ ରଖି ବାମ ମୁଖ୍ୟ କେନାଲରେ ଆଜି ୪୯.୭୫ କୁ ମେକ୍ସ, ଦକ୍ଷିଣ ମୁଖ୍ୟ କେନାଲରେ ୧୧.୧୫ ଓ ମେଗା ଲିଫ୍ଟ କେନାଲରେ ୧୫ କୁ ମେକ୍ସ ଜଳସେଚନ ଉପଲବ୍ଧ କରାଯାଉଥିବା ସୂଚନା ମିଳିଛି । ପରବର୍ତ୍ତୀ ଖରିଫ ପ୍ରସ୍ତୁତି ଓ ଚାଷୀଙ୍କ ପାଣିର ଆବଶ୍ୟକତାକୁ ନଜରରେ ରଖି ଆସନ୍ତା ୧୭ ତାରିଖ ରବି ଜଳସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.