jayashree

କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

  • ବେଙ୍ଗାଲୁରୁର ବାତାବରଣ, ପରିବେଶ ସ୍ବତନ୍ତ୍ର, ଏହି ସହର ସାରା ବିଶ୍ବରେ ସଫ୍ଟଓ୍ବେର ଓ ସେବା ପାଇଁ ଜଣାଶୁଣା, କିନ୍ତୁ ଏହି ସହର ଭାରତର ସାଂସ୍କୃତିକ ପରିଚୟ, ଆଧ୍ୟାତ୍ମିକତା ଓ ଆଧ୍ୟାତ୍ମିକ ଚେତନାକୁ ନୂଆ ଉଚ୍ଚତାକୁ ନେଇଯାଇଛି: ପ୍ରଧାନମନ୍ତ୍ରୀ
  • ଆମ ସମାଜର ସ୍ବାଭାବିକ ଚରିତ୍ର ହେଉଛି ‘ସେବା ପରମୋ ଧର୍ମଃ’: ପ୍ରଧାନମନ୍ତ୍ରୀ
  • ସ୍ବଚ୍ଛ ଭାରତ ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଲୋକଙ୍କ ଜୀବନର ଏକ ଅଂଗ ହୋଇଯାଇଛି, ଏବେ ଏହା ସମାଜର ଶକ୍ତିରେ ଆଗେଇ ଚାଲିଛି: ପ୍ରଧାନମନ୍ତ୍ରୀ
  • ମାନସିକ ଭାବରେ ଶାନ୍ତ, ସମାଜପ୍ରତି ଦାୟିତ୍ୱବାନ ଏବଂ ସମ୍ବେଦନଶୀଳ ଯୁବକମାନଙ୍କ ଦ୍ୱାରା ହିଁ ବିକଶିତ ଭାରତର ସ୍ବପ୍ନ ସାକାର ସମ୍ଭବ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ପାଳନ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରର ପବିତ୍ରତା କଥା ପ୍ରକାଶ କରି ସେ କହିଥିଲେ ଯେ ପିଲାମାନଙ୍କ ବେଦବାଣୀ, ଭଗବାନ ଗଣେଶଙ୍କ ଦର୍ଶନ, ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ବର୍ଷ ଓ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ଦ୍ବାରା ଆଜିର ସକାଳଟି ସମୃଦ୍ଧ ହୋଇଛି। “ଏସବୁ କ୍ଷଣଗୁଡ଼ିକ ସବୁବେଳ ମୋ ମାନସପଟ୍ଟରେ ରହିବ’’ ସେ କହିଥିଲେ।
ଏକ ଦିବ୍ୟ ଓ ଭବ୍ୟ ଧ୍ୟାନ ମନ୍ଦିରର ଉଦ୍ଘାଟନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ସମର୍ପିତ ପ୍ରତିଷ୍ଠାନଗୁଡ଼ିକର ଅନେକ ଗୁରୁତ୍ବ ରହିଛି। ଏହାର ଉଦ୍ଘାଟନ ପାଇଁ ସେ ଆର୍ଟ ଅଫ ଲିଭିଂକୁ ଅଭିନନ୍ଦନ ଜଣାଇଥିଲେ। “ଯେତେବେଳେ ସଂକଳ୍ପ ସ୍ପଷ୍ଟ ଥାଏ ଏବଂ ସେବା ମନୋଭାବ ସହିତ କାମ କରାଯାଏ, ସେତେବେଳେ ପ୍ରତ୍ୟେକ ପ୍ରୟାସ ସୁଖଦ ଫଳାଫଳ ପ୍ରଦାନ କରେ,” ଶ୍ରୀ ମୋଦୀ କହିଥିଲେ।
ବେଙ୍ଗାଲୁରୁର ସ୍ୱତନ୍ତ୍ର ପରିବେଶର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଏହି ସହର କେବଳ ସଫ୍ଟୱେର୍ ଏବଂ ସେବା ପାଇଁ ନୁହେଁ ବରଂ ଭାରତର ସାଂସ୍କୃତିକ ପରିଚୟ ଏବଂ ଆଧ୍ୟାତ୍ମିକ ଚେତନାକୁ ଉପରକୁ ନେବା ପାଇଁ ମଧ୍ୟ ବିଶ୍ୱ ସ୍ତରରେ ସ୍ୱୀକୃତି ପାଇଛି। “ଏହି ସହର ଦ୍ୱାରା ଆଧ୍ୟାତ୍ମିକତା ଏବଂ ଆଧ୍ୟାତ୍ମିକ ଚେତନାକୁ ମଧ୍ୟ ନୂତନ ଉଚ୍ଚତାକୁ ନିଆଯାଇଛି,” ଶ୍ରୀ ମୋଦୀ କହିଥିଲେ।
ଯୋଗ, ଧ୍ୟାନ ଓ ପ୍ରାଣାୟାମ ଭାରତୀୟ ମୂଲ୍ୟବୋଧର ଏକ ଅବିଚ୍ଛେଦ୍ୟ ଅଂଗ ବୋଲି ପ୍ରକାଶ କରି ସେ କହିଥିଲେ ଯେ ସାରା ବିଶ୍ବର ଲୋକେ ଭାରତର ଆଧ୍ୟାତ୍ମିକ ମୂଲ୍ୟବୋଧ ଦ୍ବାରା ପ୍ରଭାବିତ ହେଉଛନ୍ତି। ଏହି ମୂଲ୍ୟବୋଧରୁ ଭାରତରେ ବି ଅନେକ ପ୍ରତିଷ୍ଠାନ ପ୍ରେରଣା ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ।
ସେ କହିଥିଲେ, ଭାରତର ପ୍ରାଚୀନ ଆଧ୍ୟାତ୍ମିକ ମୂଲ୍ୟବୋଧରୁ ପ୍ରେରଣା ନେଇ ଶ୍ରୀ ଶ୍ରୀ ରବିଶଙ୍କରଜୀ ୪୫ ବର୍ଷ ତଳେ ଆର୍ଟ ଅଫ୍ ଲିଭିଂର ବୀଜ ବପନ କରିଥିଲେ, ଆଜି ତାହା ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। “ଆଜି ଏହା ଏକ ବିଶାଳ ବଟବୃକ୍ଷଭାବେ ଛିଡ଼ା ହୋଇଛି ଯାହାର ହଜାର ହଜାର ଶାଖା ପ୍ରଶାଖା ରହିଛି ଓ ସାରା ବିଶ୍ବର ଅଗଣିତ ଲୋକଙ୍କ ଜୀବନକୁ ଛୁଇଁଛି’’ ମୋଦୀ କହିଥିଲେ।
ଭାଷା, ପରମ୍ପରା, ରୀତି ଏବଂ ଉପାସନାକୁ ନେଇ ଭାରତର ସମୃଦ୍ଧ ବିବିଧତାର ପ୍ରସାରକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ସୁନ୍ଦର ବିବିଧତାକୁ କ’ଣ ବାନ୍ଧି ରଖିଛି ସେ ବିଷୟରେ ଏକ ମୌଳିକ ପ୍ରଶ୍ନ ଉଠାଇଥିଲେ। “ଏହାର ଉତ୍ତର ହେଉଛି ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ବଞ୍ଚିବା,” ଶ୍ରୀ ମୋଦୀ ଉତ୍ତର ଦେଇଥିଲେ।
ପୁରାଣରୁ ପ୍ରାଚୀନ ଜ୍ଞାନକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଅନ୍ୟର ସେବା କରିବା ପୁଣ୍ୟ ଏବଂ ଯନ୍ତ୍ରଣା ଦେବା ପାପ। ସେ କହିଥିଲେ ଯେ ସେବା ହେଉଛି ଭାରତୀୟ ସମାଜର ପ୍ରାକୃତିକ ଚରିତ୍ର। ” ‘ସେବା ପରମୋ ଧର୍ମଃ’ ଆମ ସମାଜର ପ୍ରାକୃତିକ ଚରିତ୍ର,” ଶ୍ରୀ ମୋଦୀ ପ୍ରକାଶ କରିଥିଲେ।
ଭାରତର ଅନେକ ଆଧ୍ୟାତ୍ମିକ ଆନ୍ଦୋଳନ ଶେଷରେ ମାନବତାର ସେବା ମାଧ୍ୟମରେ ନିଜକୁ ପ୍ରକାଶ କରିଆସିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆର୍ଟ ଅଫ୍ ଲିଭିଂର ପ୍ରତ୍ୟେକ ପ୍ରୟାସରେ ସମାନ ଭାବନା ପ୍ରତିଫଳିତ ହେଉଥିବା ଦେଖି ଖୁସି ପ୍ରକାଶ କରିଥିଲେ। ସେ ଆର୍ଟ ଅଫ୍ ଲିଭିଂର ଯାତ୍ରା ସହିତ ଜଡିତ ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ସେମାନଙ୍କ ସମର୍ପଣ ଏବଂ ସେବା ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ।
ଯେକୌଣସି ମିଶନର ସଫଳତା ପାଇଁ ସାମାଜିକ ସମ୍ପର୍କ ଅତ୍ୟାବଶ୍ୟକ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ ପାଇଁ ସାମାଜର ଶକ୍ତି ଜାଗ୍ରତ କରାଯିବା ଜରୁରୀ। ସେ ପ୍ରକାଶ କରିଥିଲେ ଯେ ସମାଜ ରାଜନୈତିକ ବ୍ୟବସ୍ଥା ଏବଂ ସରକାର ଅପେକ୍ଷା ଅଧିକ ଶକ୍ତିର ଅଧିକାରୀ, ଏବଂ ଯେପର୍ଯ୍ୟନ୍ତ ସମ୍ପ୍ରଦାୟଗୁଡ଼ିକ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି ନାହିଁ, ସେପର୍ଯ୍ୟନ୍ତ କୌଣସି ପ୍ରଶାସନ ପ୍ରକୃତରେ ସଫଳ ହୋଇପାରିବ ନାହିଁ। ସେ ସ୍ୱଚ୍ଛ ଭାରତ ମିଶନକୁ ଉଦାହରଣ ବୋଲି ଉଲ୍ଲେଖ କରି କହିଥିଲେ ଯେ ସରକାରୀ ପଦକ୍ଷେପ ଭାବରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଲୋକଙ୍କ ଜୀବନର ଏକ ଅଂଗ ହୋଇଯାଇଛି ଓ ବର୍ତ୍ତମାନ ଏହା ସମାଜର ନିଜସ୍ୱ ଗତି ମାଧ୍ୟମରେ ଆଗକୁ ବଢ଼ୁଛି। ସମାଜର ଶକ୍ତି ଯୋଗଦାନ କଲେ ଯେକୌଣସି ଅଭିଯାନ ସଫଳ ହୁଏ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, “ଏପରି ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ମିଶନ ପାଇଁ ସମାଜର ଶକ୍ତି ଜାଗ୍ରତ କରିବା ଅତ୍ୟନ୍ତ ଆବଶ୍ୟକ।”
ସମାଜକୁ ସକ୍ରିୟଭାବେ ସଂଶ୍ଲିଷ୍ଟ କଲେ ଦେଶର ସବୁଠାରୁ ବଡ଼ ଚ୍ୟାଲେଞ୍ଜର ସାମୂହିକ ସମାଧାନ ମିଳିଥାଏ ବୋଲି ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଆର୍ଟ ଅଫ୍ ଲିଭିଂର ପ୍ରଶଂସା କରିଥିଲେ ଯେ ଏହି ସଂଗଠନ ନିଜର ପଦକ୍ଷେପଗୁଡ଼ିକରେ ସମାଜର ଶକ୍ତିକୁ ନିରନ୍ତର ଭାବରେ ବ୍ୟବହାର କରିଚାଲିଛି। ସେ ବୃକ୍ଷରୋପଣ ଅଭିଯାନ, ଗ୍ରାମୀଣ ସ୍ମାର୍ଟ ଗ୍ରାମ୍ୟକେନ୍ଦ୍ର, ମହିଳା ଏବଂ ଆଦିବାସୀ ସଶକ୍ତିକରଣ ପଦକ୍ଷେପ କିମ୍ବା ଜେଲରେ ଥିବା ବ୍ୟକ୍ତିମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଦି ବିକାଶମୂଳକ କାର୍ଯ୍ୟକ୍ରମରେ ସଂଗଠନର ସାମାଜିକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, “ଏହି ପ୍ରୟାସ ଦେଶ ଏବଂ ସମାଜର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖେ।”
ଯୁବ ସଶକ୍ତୀକରଣ ଉପରେ ପ୍ରାଥମିକତା ଦେବା ପାଇଁ ଉପସ୍ଥିତ ଲୋକମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଜ୍ଞାନିକ ପ୍ରଗତି ଏବଂ ନବସୃଜନ ଦ୍ୱାରା ପରିଚାଳିତ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ବରେ ଏହାର ଜରୁରୀ ଅବଶ୍ୟକତା ରହିଛି। ସେ ଲକ୍ଷ୍ୟ କରିଥିଲେ ଯେ ଭାରତ କେବଳ ଏହି ପରିବର୍ତ୍ତନରେ ଅଂଶଗ୍ରହଣ କରୁନାହିଁ ବରଂ ଡିଜିଟାଲ୍ ପେମେଣ୍ଟ, ଭିତ୍ତିଭୂମି ବିକାଶ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ବିଶେଷ ସଫଳତା ସହିତ ଅନେକ କ୍ଷେତ୍ରରେ ନେତୃତ୍ୱ ନେଉଛି। ସେ ଆଲୋକପାତ କରିଥିଲେ ଯେ ଭାରତର ଯୁବପିଢ଼ି ମହାକାଶ ପ୍ରଯୁକ୍ତିବିଦ୍ୟାରେ ଆଗରେ ଅଛନ୍ତି ଏବଂ ଏଧରଣର ସମସ୍ତ ଜାତୀୟ ସଫଳତାରେ ଯୋଗଦାନ ଦେଉଛନ୍ତି। ଶ୍ରୀ ମୋଦୀ ପ୍ରକାଶ କରିଥିଲେ, “ଭାରତ କେବଳ ଏହି ପରିବର୍ତ୍ତନରେ ଅଂଶଗ୍ରହଣ କରୁନାହିଁ, ଏହା ଅନେକ କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେଉଛି।” ଏସବୁ ସଫଳତାରେ ଭାରତର ଯୁବପିଢ଼ିଙ୍କୁ ଶ୍ରେୟ ଦେଇ ପ୍ରଧାନମନ୍ତ୍ରୀ ଆଧୁନିକ ଯୁଗର ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ଖୋଜିବାରେ ଯୁବପିଢ଼ିଙ୍କୁ ସାହାଯ୍ୟ କରିବାରେ ଆର୍ଟ ଅଫ୍ ଲିଭିଂର ଭୂମିକାକୁ ସ୍ୱୀକାର କରିଥିଲେ।
ଦୂରବର୍ତ୍ତୀ ବ୍ୟକ୍ତିମାନଙ୍କୁ ତୁରନ୍ତ ସଂଯୋଗ କରିବା ପାଇଁ ବୈଷୟିକ ଜ୍ଞାନକୌଶଳର ଶକ୍ତିକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କର ନିଜ ସହିତ ସଂଯୋଗ ସ୍ଥାପନ କରିବାର କ୍ଷମତାକୁ ସୁଦୃଢ଼ କରିବାର ସମାନ୍ତରାଳ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଭାରତର ବିକଶିତ ଭବିଷ୍ୟତ ମାନସିକ ଭାବରେ ଶାନ୍ତ, ସାମାଜିକ ଭାବରେ ଦାୟୀ ଏବଂ ସାମାଜିକ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଯୁବକମାନଙ୍କୁ ଗଢିବା ଉପରେ ନିର୍ଭର କରେ। ସେ ସାଂସ୍କୃତିକ ବୁଝାମଣା ପାଇଁ ସୁଯୋଗ ପ୍ରଦାନ କରିବା ସହିତ ସଂଯୋଗ, ସମ୍ପର୍କ ଏବଂ ସାମୂହିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବାରେ ଆଧ୍ୟାତ୍ମିକ ସୁସ୍ଥତା, ମାନସିକ ସ୍ୱାସ୍ଥ୍ୟ, ଯୋଗ ଏବଂ ଧ୍ୟାନ ଉପରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ, “ଏକ ବିକଶିତ ଭାରତ ମାନସିକ ଭାବରେ ଶାନ୍ତ, ସାମାଜିକ ଭାବରେ ଦାୟୀ ଏବଂ ସମାଜ ପ୍ରତି ସମ୍ବେଦନଶୀଳ ଯୁବକମାନଙ୍କ ଦ୍ୱାରା ନିର୍ମିତ ହେବ।”
ନୂତନ ଭାବରେ ଉଦ୍‌ଘାଟିତ ଧ୍ୟାନ ମନ୍ଦିର ହଜାର ହଜାର ଲୋକଙ୍କ ପାଇଁ ଶାନ୍ତି ଏବଂ ଆରୋଗ୍ୟର ଆଶ୍ରୟସ୍ଥଳ ଭାବରେ କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ। ସେ ସ୍ୱୀକାର କରିଥିଲେ ଯେ ସମାଜ ପୂର୍ବରୁ ହିଁ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟକୁ ପ୍ରଶଂସନୀୟ ଭାବରେ ପାଳନ କରିଚାଲିଛି, ତଥାପି ସେ ସର୍ବାଙ୍ଗୀନ ଜାତୀୟ ବିକାଶ ପାଇଁ ସମାଜ ସମ୍ମୁଖରେ କିଛି ଗୁରୁତ୍ୱପୂର୍ଣ୍ଣ ନିବେଦନ ରଖିଥିଲେ।
ଭାରତର ସାମଗ୍ରୀକ ବିକାଶକୁ ଆଗକୁ ବଢ଼ାଇବାରେ ‘ଆର୍ଟ ଅଫ୍ ଲିଭିଙ୍ଗ୍’ ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ପ୍ରାକୃତିକ କୃଷି ପଦ୍ଧତି ସହିତ ଯୋଡ଼ିବା ପାଇଁ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ସେ ପରିବେଶ ଅନୁକୂଳ କୃଷିକୁ ଜୀବନଧାରଣର ଏକ ପରିପ୍ରକାଶ ବୋଲି କହିଥିଲେ ଏବଂ ଜୋର ଦେଇଥିଲେ ଯେ ପୃଥିବୀ ମାତାକୁ ରାସାୟନିକ ପଦାର୍ଥ ଦାଉରୁ ରକ୍ଷା କରିବା ଉଭୟ ଏକ ଆଧ୍ୟାତ୍ମିକ ଅଭ୍ୟାସ ଏବଂ ପରିବେଶ ସୁରକ୍ଷା । ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ, “ପ୍ରାକୃତିକ କୃଷି ଗ୍ରହଣ କରିବା ଏବଂ ମାତା ପୃଥିବୀକୁ ରାସାୟନିକ ପଦାର୍ଥରୁ ରକ୍ଷା କରିବା ମଧ୍ୟ ଜୀବନଧାରଣର ଗୋଟିଏ ଗୋଟିଏ କଳା।”
“ଏକ ପେଡ୍ ମା’ କେ ନାମ” ଅଭିଯାନର ବ୍ୟାପକ ପ୍ରସାରକୁ ଉତ୍ସାହିତ କରି ପ୍ରଧାନମନ୍ତ୍ରୀ ପରିବେଶ ସୁରକ୍ଷାକୁ ଭଲ ଭାବରେ ବଞ୍ଚିବାର ଦର୍ଶନ ସହିତ ସିଧାସଳଖ ଯୋଡ଼ିଥିଲେ। ସେ ମିଶନ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ ଭାବରେ ପ୍ରକାଶ କରିଥିଲେ, “ପରିବେଶକୁ ରକ୍ଷା କରିବା ମଧ୍ୟ ‘ଆର୍ଟ ଅଫ ଲିଭିଂ’ ବୋଲି କହିଥିଲେ।
“ପ୍ରତି ବୁନ୍ଦା, ଅଧିକ ଫସଲ” ପ୍ରୟାସ ମାଧ୍ୟମରେ ଚାଷୀ ସମ୍ପ୍ରଦାୟରେ ଉନ୍ନତ ଜଳ ପରିଚାଳନା ଅଭ୍ୟାସକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାମାଜିକ ସହଯୋଗ ଏହାର ଫଳାଫଳକୁ ବୃଦ୍ଧି କରିବ। ସେ ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଏହାକୁ ବ୍ୟାପକ ଜଳ ସଂରକ୍ଷଣ ସଚେତନତା ପାଇଁ ଏକ ଆଦର୍ଶ ମୁହୂର୍ତ୍ତ କରିଥାଏ। ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ “ପ୍ରତି ବୁନ୍ଦା ପାଣି ସଞ୍ଚୟ କରିବା ମଧ୍ୟ ‘ଆର୍ଟ ଅଫ ଲିଭିଂ’।”
ଦାୟିତ୍ୱପୂର୍ଣ୍ଣ ଜୀବନଧାରଣର ଏହି ଦୃଷ୍ଟିକୋଣକୁ ବିଦ୍ୟୁତ ସଂରକ୍ଷଣ, ଏକକ ବ୍ୟବହାର ପ୍ଲାଷ୍ଟିକ୍ ଦୂରୀକରଣ ଏବଂ ସ୍ଥାନୀୟ ଭାବରେ ଉତ୍ପାଦିତ ସାମଗ୍ରୀର ପ୍ରୋତ୍ସାହନ ପର୍ଯ୍ୟନ୍ତ ବିସ୍ତାର କରି ପ୍ରଧାନମନ୍ତ୍ରୀ ଏହି ସମସ୍ତ ଅଭ୍ୟାସକୁ ଆର୍ଟ ଅଫ୍ ଲିଭିଙ୍ଗ୍ ଦର୍ଶନ ସହିତ ଯୋଡିଥିଲେ। ସେ ସରକାରଙ୍କ ମିଶନ୍ ଲାଇଫ୍ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ଯାହା ପ୍ରକୃତି ସହିତ ସମନ୍ୱୟ ବଜାୟ ରଖି ଅଧିକ ଦାୟିତ୍ୱବାନ ଏବଂ ସଚେତନତା ସହିତ ଜୀବନଯାପନକୁ ପ୍ରୋତ୍ସାହିତ କରେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ, “ପ୍ରକୃତି ସହିତ ସନ୍ତୁଳନ ବଜାୟ ରଖୁଥିବା ଏହି ଜୀବନଶୈଳୀ ମଧ୍ୟ ମଧ୍ୟ ଏକ ‘ଆର୍ଟ ଅଫ ଲିଭିଂ’।”
ପ୍ରଧାନମନ୍ତ୍ରୀ ଏହି ବିଶ୍ବାସର ସହ ନିଜର ବକ୍ତବ୍ୟ ଶେଷ କରିଥିଲେ ଯେ ଆଗାମୀ ଦିନରେ ଏହି ଅନୁଷ୍ଠାନ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଅଧିକ ପ୍ରାଥମିକତା ଦେଇଚାଲିବ ।

Leave A Reply

Your email address will not be published.