jayashree

ଗଛ ସର୍ଭେ ଆଳରେ ମାଇନିଙ୍ଗ ସର୍ଭେ ପାଇଁ ଯାଇଥିବା ଟିମକୁ ବିରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଏର ସୁକତେଲ ପ୍ରକଳ୍ପ ପରେ ମାଙ୍ଗାନିଜ ଖଣି ପ୍ରକଳ୍ପ ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ଯୋଗୁଁ ଲୋଇସିଂହା ବ୍ଲକବାସୀଙ୍କୁ ବିସ୍ଥାପନର ଚିନ୍ତା ଘାରିଛି । ବ୍ଲକ ଅନ୍ତର୍ଗତ ବାନିପାଲି ଅଞ୍ଚଳକୁ ଗଛ ଗଣତି ପାଇଁ ଯାଇଥିବା ସର୍ବେକ୍ଷଣ ଟିମକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ତଡି ଦେଇଥିବା ଜଣାଯାଇଛି । ବଲାଙ୍ଗିର ଡିଏଫ୍ଓଙ୍କ କାର୍ଯ୍ୟାଳୟ ମେମୋ ନଂ-୪୨୫୩ ମୁତାବକ, ଅଗ୍ରସେନ୍ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ ତରଫରୁ ବଲାଙ୍ଗିର ଜିଲ୍ଲାର ପ୍ରସ୍ତାବିତ ବବଜା ଗ୍ରାଫାଇଟ ବ୍ଲକର ପ୍ରାୟ ୨୦ ହେକ୍ଟର ଅଞ୍ଚଳରେ ଗଛ ସର୍ଭେ ତଥା ଯୁଗ୍ମ ତଦନ୍ତ କରାଯିବା ପାଇଁ ବନ ବିଭାଗକୁ ଅନୁମତି ମଗାଯିବା ସହିତ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା । ସେହି କ୍ରମରେ କମ୍ପାନୀର ଏକ ୫ ଜଣିଆ ଟିମ୍ ବାନିପାଲି ଅଞ୍ଚଳରେ ଗଛ ଗଣତି କରିବା ସହିତ ଗଛ ଗୁଡିକରେ ଚିହ୍ନ ଦେଉଥିଲେ । ଖଣି ପ୍ରକଳ୍ପ ପାଇଁ ବିସ୍ଥାପନ ଉଦ୍ଦେଶ୍ୟରେ ଗଛ ଗଣତି ଚାଲିଥିବା ସନ୍ଦେହରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ସର୍ବେକ୍ଷଣ ଟିମକୁ ବିରୋଧ କରିଥିଲେ । ଏପରିକି ବବଜା ଗ୍ରାଫାଇଟ ବ୍ଲକ ଅଞ୍ଚଳରେ ଖଣି ଖନନ ପାଇଁ ପୂର୍ବରୁ ସରକାରଙ୍କ ଠାରୁ ଅନୁମତି ପାଇଥିବା ଠିକାସଂସ୍ଥା ତରଫରୁ ଗଛ ଗଣତି କରାଯାଉଥିବା ଜଣାପଡିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ସର୍ଭେ କାର୍ଯ୍ୟକୁ ବିରୋଧ କରିବା ସହିତ ତୁରନ୍ତ ସେଠାରୁ ଚାଲିଯିବା ସକାଶେ ସର୍ଭେ ଦଳକୁ କହିଥିଲେ । ‘ମୋ ଜଙ୍ଗଲ ଜମି ଯୋଜନା”ରେ ଲୋକଙ୍କୁ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ପଟ୍ଟା ପ୍ରଦାନ ଦିଗରେ ଜଙ୍ଗଲ ବିଭାଗ ଅଥବା ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ଓଲଟା ଖଣି ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଉଥିବା ଯୋଗୁଁ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ବିନା ଅନୁମତିରେ କୌଣସି ସର୍ବେକ୍ଷଣ ଟିମ୍ ଅଞ୍ଚଳକୁ ପ୍ରବେଶ କଲେ ଜୋରଦାର ବିରୋଧ କରାଯିବା ସହିତ ଆଇନକୁ ହାତକୁ ନିଆଯିବ ବୋଲି ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.