
ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ବାଲି ବୋଝେଇ ହାଇୱା ଗାଡ଼ିର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି । ଘଟଣାଟି ପାଟଣାଗଡ଼ ଥାନା ନିକଟସ୍ଥ ପଦ୍ମପୁର ରାସ୍ତାର ଫୌଜୀ ଢାବା ନିକଟରେ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ମରୁଆଁ ଗାଁର ଜଗବନ୍ଧୁ ସାହୁ(୫୫) । ସକାଳ ସମୟରେ ସେ ରାସ୍ତାରେ ଯାଉଥିବା ବେଳେ ଏକ ଅଜଣା ହାଇୱା ଗାଡ଼ି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଅବସ୍ଥାରେ ଜଗବନ୍ଧୁଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ହସ୍ପିଟାଲକୁ ଆଣାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏକ ବାଲି ବୋଝେଇ ହାଇୱା ଗାଡ଼ି ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ଫେରାର ହୋଇଯାଇଥିଲା । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରୋଷ ପ୍ରକାଶ ପାଇଛି । ଅଞ୍ଚଳବାସୀଙ୍କ ଅଭିଯୋଗ ଯେ, ପାଟଣାଗଡ଼ ମୁଖ୍ୟ ରାସ୍ତାରେ ବାଲି ହାଇୱା ଗାଡ଼ିମାନେ ବେପରୁଆ ଗତିରେ ଚଳାଚଳ କରି ସାଧାରଣ ଲୋକଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରୁଛନ୍ତି । ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କଠୋର ପଦକ୍ଷେପ ନିଆଯାଉନଥିବାରୁ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ, ଫେରାର ହାଇୱା ଗାଡ଼ିକୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଜାରି ରହିଛି ।