
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ଏକ ଦୁଃଖଦ ଖବର, ଯାହା ଶୁଣିଲେ ଆପଣଙ୍କ ଆଖି ମଧ୍ୟ ଓଦା ହୋଇଯିବ । ଜଣେ ୧୦ ବର୍ଷର ମେଧାବୀ ଛାତ୍ରୀ, ଯିଏ ଆଖିରେ ଅନେକ ସ୍ୱପ୍ନ ନେଇ ପାଠ ପଢୁଥିଲା, କିନ୍ତୁ ଗୋଟିଏ ଦୁର୍ଭାଗ୍ୟ ଜନକ ଘଟଣା ତା’ର ସବୁ ସ୍ୱପ୍ନକୁ ଅନ୍ଧାର କରିଦେଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରାମର ଖେଡୁ କମ୍ପଙ୍କ ଝିଅ ସୁକାନ୍ତି । ଖେଡୁଙ୍କ ଗୋଟିଏ ପୁଅ ବଡ ଏବଂ ଝିଅ ସାନ । ବଡ ପୁଅ ଭିନ୍ନକ୍ଷମ ହୋଇଥିବା ବେଳେ କଥାବାର୍ତ୍ତା କରିପାରେ ନାହିଁ । ସୋନପୁର ସ୍ଥିତ ଡିଫ ଏଣ୍ଡ ଡ଼ମ୍ ସ୍କୁଲରେ ରହି ପାଠ ପଢୁଛି । ସେପଟେ ତାଙ୍କ ଝିଅ ପଞ୍ଚମ ଶ୍ରେଣୀରେ ପଢୁଥିବା ସୁକାନ୍ତିଙ୍କ ଆଖିରେ ଗତ ୧୯ ତାରିଖ ଦିନ ଏକ ତୀର ବାଜିଥିଲା । ଛୋଟ ଛୁଆମାନେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କୌଣସି ଏକ କଣ୍ଟାରେ ତିଆରି ତୀର ଆସି ତାଙ୍କ ଆଖିରେ ବାଜିଥିଲା । ଆଉ ସେହି ଗୋଟିଏ ତୀର ସୁକାନ୍ତିଙ୍କ ଗୋଟିଏ ଆଖିର ଦୃଷ୍ଟିଶକ୍ତି ଛଡ଼ାଇ ନେବାକୁ ବସିଛି । ଅତି ଗରିବ ପରିବାର ହୋଇଥିବାରୁ, ପାଖରେ ଅର୍ଥର ଅଭାବ । ଡାକ୍ତରଖାନା ଖର୍ଚ୍ଚ ତ ଦୂରର କଥା, ଦୁଇ ଓଳି ଖାଇବାକୁ ମଧ୍ୟ ସଂଘର୍ଷ କରୁଛି ଏହି ଅସହାୟ ପରିବାର । ଝିଅର ଚିକିତ୍ସା କେମିତି ହେବ, ସେ ପୁଣିଥରେ ଦୁନିଆ ଦେଖିପାରିବ କି ନାହିଁ – ଏହି ଚିନ୍ତାରେ ବାପା ଖେଡୁ କମ୍ପଙ୍କ ଆଖିରୁ ଲୁହ ଶୁଖୁନି । କିନ୍ତୁ ଏହି ଦୁର୍ଦ୍ଦିନ ସମୟରେ ଦେବଦୂତ ସାଜି ଠିଆ ହୋଇଛି ସୁବର୍ଣ୍ଣପୁର ଜିଲ୍ଲାର ‘ମା’ ମାହେଶ୍ୱରୀ ସେନା’ । ପ୍ରଥମେ ଜିଲ୍ଲାପାଳଙ୍କୁ ଭେଟି ସୁକାନ୍ତିଙ୍କ ଦୁର୍ଦ୍ଦଶା ଜଣାଇବା ସହ କେମିତି ସାହାଯ୍ୟ କରାଯାଇ ପାରିବ କର୍ମକର୍ତ୍ତାମାନେ ଆଲୋଚନା କରିଥଲେ । ପରେ ସେନାର କର୍ମକର୍ତ୍ତାମାନେ ସୁକାନ୍ତିଙ୍କ ଘରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଘର ପାଇଁ ଚାଉଳ, ଡାଲି, ଆଳୁ ଭଳି ଗ୍ରୋସରୀ ସାମଗ୍ରୀ ଯୋଗାଇ ଦେଇଛନ୍ତି । କେବଳ ସେତିକି ନୁହେଁ, ସୁବର୍ଣ୍ଣପୁର ଜିଲ୍ଲାପାଳ ମଧ୍ୟ ଏହି ଖବର ପାଇ ସୁକାନ୍ତିଙ୍କ ଦୁଃଖ ବୁଝିବାକୁ ଆଜି ତାଙ୍କ ଘରକୁ ପହଞ୍ଚିଥିଲେ । ଏବଂ ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଝିଅଟି ଯେମିତି ନିଜର ଦୃଷ୍ଟିଶକ୍ତି ଫେରିପାଏ ଏବଂ ପୁଣିଥରେ ପାଠ ପଢି ନିଜର ସ୍ୱପ୍ନ ପୂରଣ କରେ, ସେଥିପାଇଁ ସାରା ଜିଲ୍ଲାବାସୀ ଏବଂ ମା’ ମାହେଶ୍ୱରୀ ସେନା ମହେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସତରେ, ସେବା ଓ ସମର୍ପଣର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଉଛି । ଆସନ୍ତୁ ଆମେ ମଧ୍ୟ ପ୍ରାର୍ଥନା କରିବା, ସୁକାନ୍ତି ଖୁବ୍ ଶୀଘ୍ର ଭଲ ହୋଇ ଫେରିଆସୁ ।