
ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଡାସିଂହା ଅଂଚଳରେ ଗୋପାଳ ସାହୁ ଅତ୍ୟନ୍ତ ଦୁଃଖଦ ଓ ଅସହାୟ ପରିସ୍ଥିତି ମଧ୍ୟରେ ଜୀବନ କାଟୁଥିବା ସାମାଜିକ ସଂଗଠନ ମାହେଶ୍ୱରୀ ଅଭିଯୋଗ କରିଛି । ଅଭିଯୋଗ ମୁତାବକ ଗୋପାଳ ସାହୁ ଚିକିତ୍ସାଜନିତ ସମସ୍ୟା କାରଣରୁ ପ୍ରଥମେ ପ୍ରାୟ ଦୁଇ ବର୍ଷ ପୂର୍ବେ ତାଙ୍କର ଗୋଟିଏ ଗୋଡ କାଟିବାକୁ ପଡିଥିଲା ପରେ ଶାରୀରିକ ଅବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କର ଆଉ ଗୋଟିଏ ଗୋଡ ମଧ୍ୟ କାଟିବାକୁ ପଡିଥିଲା । ପରିବାରର ଏକମାତ୍ର ଉପାର୍ଜନକାରୀ ଥିବା ଶ୍ରୀ ସାହୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଶର୍ଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି । ଦୁଇଟି ଗୋଡ ହରାଇବା ପରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭାଙ୍ଗିପଡିଛି । ଦୈନନ୍ଦିନ ଖାଦ୍ୟ ଓ ଔଷଧ ଖର୍ଚ୍ଚ ଯୋଗାଡ କରିବା ମଧ୍ୟ ପରିବାର ପାଇଁ କଷ୍ଟକର ହୋଇପଡିଛି । ପରିବାର ଚଲାଇବା ପାଇଁ ତାଙ୍କ ସ୍ତ୍ରୀ ଦିନମଜୁରିଆ ଭାବେ କାମକରି ପରିବାରକୁ ସମ୍ଭାଳୁଥିବା ଜଣାପଡିଛି । ଖବର ପାଇବା ପରେ ମାହେଶ୍ୱରୀ ସଂସ୍ଥା ପକ୍ଷରୁ ତାଙ୍କ ଘରକୁ ପହଂଚି କିଛି ସହଯୋଗ ରାଶି ପ୍ରଦାନ କରାଯାଇଛି । ସଂଗଠନର ସଭାପତି ଶୋଭନ କୁମାର ଅଗ୍ରୱାଲ, ସଦସ୍ୟ ସୂରଜ କୁମାର ପଟେଲ, ପଦ୍ମାଳୟା ବାରିକ, ମନୋରଂଜନ ଝାଙ୍କର, ଲୋକନାଥ ପଧାନ, ହିରନ୍ ମଲ୍ଲିକ, ଜୁଲିଏନା ରିଟଚେ ତାଙ୍କ ସହ ସାକ୍ଷାତ କରି ଆଗାମୀ ଚିକିତ୍ସା, ଔଷଦ, ଫିଜିଓଥେରାପି ଓ ପୁନର୍ବାସ ପାଇଁ ସମସ୍ତଙ୍କୁ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଛନ୍ତି ।